ବ୍ରାହ୍ମଣୀଗାଁ ଠାରେ କୁଇ ସମାଜର ମହାସଭା…

ବ୍ରାହ୍ମଣୀଗାଁ, ୦୯/୦୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସି.ପି.ଏସ୍.ଡବ୍ଲୁ ପରିସରରେ ଗଞ୍ଜାମ ଜିଲ୍ଲା, ଗଜପତି ଓ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଞ୍ଚଳର କୁଇ କୂଳ ସମାଜର ମୁଖ୍ୟ ବ୍ୟକ୍ତି ମାନଙ୍କର ଏକ ସଭା ଗତକାଲି ମଧ୍ୟାହ୍ନ ୧୨ ଘଟିକା ବେଳେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଧାରଣ ଲୋକଙ୍କର ହିତକୁ ଦୃଷ୍ଟି ଦେଇ ପୁରାତନ ପରମ୍ପରାର ବ୍ୟୟ ବହୁଳ ରୀତିନୀତିକୁ ପରିବର୍ତନ କରିବା ପାଇଁ ଆଲୋଚନା କରାଯାଇଥିଲା । ନିଷ୍ପତି ଗୁଡ଼ିକ ମଧ୍ୟରେ ନିମ୍ନ ଲିଖିତ ବିଷୟମାନ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି। ମୁଖ୍ୟତଃ ପୁଅଝିଅଙ୍କ ବିବାହ ସମନ୍ଧେ ଗଣ୍ଠି ଧନ ହିସାବରେ ବରପକ୍ଷରୁ ସମାଜକୁ ୨୫୦୦ ଟଙ୍କା ଏବଂ କନ୍ୟା ପକ୍ଷକୁ ୫୦୦ ଟଙ୍କା ପ୍ରଦାନ କରିବା, ବିବାହ ଭୋଜିରେ କନ୍ୟା ଯାତ୍ରୀ ଓ ବର ଯାତ୍ରୀଙ୍କ ସଂଖ୍ୟା ସର୍ବାଧିକ ୫୦ ରେ ସୀମିତ ରଖିବା, ବର ପକ୍ଷରୁ କନ୍ୟା ଯାତ୍ରୀଙ୍କୁ ଏବଂ କନ୍ୟା ପକ୍ଷରୁ ବର ଯାତ୍ରୀଙ୍କୁ ଗୋଟିଏ ଦିନର ଭୋଜି ଦ୍ବାରା ଆପ୍ୟାୟିତ କରିବା, ଯେଉଁମାନେ ମଦ୍ୟପାନ କରୁ ନାହାନ୍ତି ସେମାନଙ୍କୁ ଥଣ୍ଡା ପାନୀୟ, ଚା ଓ କଫି ଦ୍ବାରା ସତ୍କାର କରାଯିବାର ନିଷ୍ପତି ନିଆଯାଇଥିବା ଜଣା ପଡ଼ିଛି। ବ୍ରାହ୍ମଣୀଗାଁ ଅଞ୍ଚଳ କୁଇ ସମାଜର ସଭାପତି ଶ୍ରୀ ସୁନାର ସିଂ ମାଝୀ ସଭା ପରିଚାଳନା କରିଥିଲେ ଓ ସମ୍ପାଦକ ଶ୍ରୀ କପିଳାସ ମଲ୍ଲିକ ଧନ୍ୟବାଦ୍ ଦେବା ପରେ ସଭା ସମାପ୍ତ ହୋଇଥିଲା ।

ad-week
Leave A Reply

Your email address will not be published.