
ଜୟପୁର: ରାଜସ୍ଥାନରେ ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ଉପୁଜିଥିବା ତ୍ରୁଟିର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବର୍ଷର ବଜେଟ୍ ଉପସ୍ଥାପନ କରିଥାନ୍ତେ। ମାତ୍ର ସେ ଭୁଲ୍ବଶତଃ ଏବର୍ଷର ବଜେଟ୍ ସ୍ଥାନରେ ଗତ ବର୍ଷର ବଜେଟ୍ ପଢ଼ିବା ଆରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ ଗେହଲଟ୍ ତାଙ୍କ ବଜେଟ୍ ଭାଷଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ହିଁ ତାଙ୍କ ପାଖରେ ବସିଥିବା କଂଗ୍ରେସ ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟାକାଇ ଦେଇଥିଲେ। ଫଳରେ ଗେହଲଟ୍ ଚୁପ୍ ହୋଇଯାଇ ‘କ୍ଷମା କରିବେ’ ବୋଲି କହିଥିଲେ। ମାତ୍ର ଏହି ସମୟର ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ମୁଖ୍ୟମନ୍ତ୍ରୀଙ୍କର ଏହି ତ୍ରୁଟି ଉପରେ ବିରୋଧୀମାନେ ଥଟ୍ଟା କରି ହସୁଥିବାର ବି ଆପଣ ଭିଡିଓରେ ଶୁଣି ପାରୁଥିବେ।
ଗେହଲଟ୍ ତାଙ୍କର ବଜେଟ ଭାଷଣ ଆରମ୍ଭ କରିବା ବେଳେ ଗତ ବର୍ଷ କାର୍ଯ୍ୟକାରୀ ହୋଇଥିବା ପୁରୁଣା ଯୋଜନା ଓ ସହରୀ ବିକାଶ ଯୋଜନା ସଂପର୍କରେ ପଢ଼ିବା ଆରମ୍ଭ କରିଥିଲେ। ତାଙ୍କୁ କଂଗ୍ରେସ ମନ୍ତ୍ରୀ ମହେଶ ଜୋଶୀ ଅଟାକାଇବା ପରେ ସେ ତତ୍କ୍ଷଣାତ ଚୁପ୍ ହୋଇ ଯାଇଥିଲେ।
ଏହି କଥାକୁ ନେଇ ବିରୋଧୀ ଦଳୀୟ ନେତାମାନେ ଗଣ୍ଡଗୋଳ ଉପୁଜାଇବା ହେତୁ ବିଧାନସଭା ପ୍ରକ୍ରିୟାକୁ ୩୦ ମିନିଟ୍ ପାଇଁ ସ୍ଥଗିତ ରଖାଯାଇଥିଲା।