
ରାୟପୁର : ଗତ ୧୦ ଦିନ ମଧ୍ୟରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ୩ ଜଣ ବିଜେପି ନେତାଙ୍କୁ ରହସ୍ୟମୟଭାବେ ହତ୍ୟା କରାଯାଇଛି । ନକ୍ସଲଙ୍କ ବିରୋଧରେ ଏସବୁ ହତ୍ୟା ଅଭିଯୋଗ ଆସୁଥିବାବେଳେ ବିଜେପି ଏହାକୁ ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି । ଏହି ହତ୍ୟାକାଣ୍ଡ ବିରୋଧରେ ବିଜେପି ପକ୍ଷରୁ ଗୁରୁବାର ଦିନ ଛତିଶଗଡ଼ର ୧୨ଟି ବିଧାନସଭା କ୍ଷେତ୍ରରେ ପ୍ରତିବାଦ ରାଲି କରାଯାଇଛି । ଏହାପରେ ରାଜ୍ୟର ୯୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।
ପୁଲିସ ମହାନିର୍ଦ୍ଦେଶକ ଏହି ମାମଲାରେ ଚିଠି ଲେଖି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ତଦନ୍ତ କରିବାକୁ କହିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ତାଙ୍କ ନେତାମାନଙ୍କୁ ବାଛି ବାଛି ଟାର୍ଗେଟ କରାଯାଉଛି। ସେପଟେ ବସ୍ତରକୁ ଗସ୍ତ କରିବା ପୂର୍ବରୁ ପୁଲିସକୁ ଆଗୁଆ ସୂଚନା ଦେବାକୁ ବାଧ୍ୟତାମୂଳକ କରିଛି ପୁଲିସ ଯାହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇପାରିବ ।
ଗତ ଜାନୁଆରି ୧୬ ତାରିଖରେ ବସ୍ତରରେ ବିଜେପି ଜିଲ୍ଲା ମନ୍ତ୍ରୀ ବୁଦ୍ଧରାମ କର୍ତମଙ୍କୁ ହତ୍ୟା କରାଯାଇଥିଲା। ଗତ ଫେବ୍ରୁଆରି ୫ ତାରିଖରେ ଇନ୍ଦ୍ରାବତୀ ନଦୀ ପାର ଦାନ୍ତେଓ୍ଵାଡ଼ା-ନାରାୟଣପୁର ଜିଲ୍ଲାର ସୀମାନ୍ତରେ ବିଜେପି ମଣ୍ଡଳ ସଭାପତି ନୀଳକଣ୍ଠ କକ୍କମ, ଫେବ୍ରୁଆରି ୧୦ତାରିଖରେ ନାରାୟଣପୁର ବିଜେପି ଉପସଭାପତି ସାଗର ସାହୁ ଓ ୧୧ ତାରିଖରେ ବିଜେପି ନେତା ରାମଧର ଆଲାମିଙ୍କୁ ହତ୍ୟା କରାଯାଇଥିଲା । ବିଜେପି ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛି ।