ପତ୍ନୀଙ୍କ ସହ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କଲେ କେଏଲ ରାହୁଲ, ଫର୍ମ ଫେରିପାଇବାକୁ ପ୍ରାର୍ଥନା କଲେ

add-all

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓପନର୍ କେଏଲ୍ ରାହୁଲ ଏବେ ନିଜ ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହେଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଓ ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ସେ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି ସତ, କିନ୍ତୁ ତାଙ୍କୁ ଉପ-ଅଧିନାୟକ ଦାୟିତ୍ବରୁ ମୁକ୍ତ କରିଦିଆଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟକୁ ମିଶାଇ ସେ ମାତ୍ର ୩୮ରନ୍ କରିଥିଲେ। ଏହାକୁ ଦେଖି ତାଙ୍କୁ ଉପ-ଅଧିନାୟକ ଦାୟିତ୍ବରୁ ମୁକ୍ତ କରିଦିଆଯାଇଥିବା ଜଣାପଡ଼ିଛି। ଏଭଳି ଫର୍ମ ଜାରି ରହିଲେ ଆଗକୁ ସେ ପଡ଼ିଆ‌ ବାହାରେ ବସିବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି।
ତେବେ ସମାଲୋଚନା ମଧ୍ୟରେ ରାହୁଲ ଓ ତାଙ୍କ ପତ୍ନୀ ଆଥିଆ ସେଟ୍ଟୀ ମହାକାଳ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି। ଭାରତୀୟ କ୍ରିକେଟର କେଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଜାନୁଆରି ୨୩ରେ ବିବାହ କରିଥିଲେ। ବିବାହ ପରେ ଏହି ଦମ୍ପତି ପ୍ରଥମ ଥର ପାଇଁ ମହାକାଳଙ୍କ ଦର୍ଶନ ପାଇଁ ଉଜ୍ଜୈନରେ ପହଞ୍ଚିଥିଲେ। ଖବର ଅନୁଯାୟୀ, ଦୁହେଁ ମନ୍ଦିରରେ ପ୍ରାୟ ଦୁଇ ଘଣ୍ଟା ସମୟ ବିତାଇଥିଲେ ଏବଂ ଏହି ସମୟରେ ଉଭୟ ଭସ୍ମ ଆରତୀରେ ମଧ୍ୟ ଭାଗ ନେଇଥିଲେ। ଭାଇରାଲ ହେଉଥିବା ଫଟୋରେ ଦେଖାଯାଇଛି ଯେ କେଏଲ୍ ରାହୁଲ ମନ୍ଦିରର ଗର୍ଭଗୃହକୁ ଯାଇ ପତ୍ନୀଙ୍କ ସହ ପୂଜା କରିଛନ୍ତି।

ad-week
Leave A Reply

Your email address will not be published.