
ସୁନ୍ଦରଗଡ଼ (୦୧/୦୩) : ଗତ ୨୭ ଫେବୃଆରୀ ତାରିଖ, ସୋମବାର ଦିନ ସୋନପୁର ଜିଲ୍ଲା ନିବାସୀ ଗୀତା ଭୁକ୍ତାଙ୍କ ଆବେଦନ କ୍ରମେ ତାଙ୍କର ମାନସିକ ବିକାରଗ୍ରସ୍ତ ଭଉଣୀ ଓ ତାଙ୍କ ଶିଶୁପୁତ୍ରକୁ ଯଥାକ୍ରମେ ସ୍ଥାନୀୟ ଆସ୍ଥା ଗୃହ ଏବଂ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଫେବୃଆରୀ ୨୪ ତାରିଖ ଦିନ ସୋନପୁର ଜିଲ୍ଲା ଅଧିନସ୍ଥ ସୋନପୁର ଭ ପ୍ଲଟ ନିବାସୀ ଗୀତା ଭୁକ୍ତା ନାମକ ମହିଳା ତାଙ୍କର ମାନସିକ ବିକାରଗ୍ରସ୍ତ ଭଉଣୀ ଓ ତାଙ୍କ ଶିଶୁ ପୁତ୍ରକୁ ଥଇଥାନ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ବାରସ୍ଥ ହୋଇଥିଲେ। ଗୀତା ତାଙ୍କ ଲିଖିତ ଦରଖାସ୍ତରେ ତାଙ୍କ ଭଉଣୀ ମମତା ବାରିକ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ଅନ୍ତର୍ଗତ ଅମାସରଙ୍ଗା ଗ୍ରାମର ଦୁବରାଜ ପସାଏତଙ୍କୁ ବିବାହ କରିବା ଦର୍ଶାଇ ପରବର୍ତ୍ତୀ ସମୟରେ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ଵାମୀ ଗତ ଦଶ ବର୍ଷ ଯାଏଁ ସେବା ଶୁଶ୍ରୁଷା କରିବା ଜଣାଇଥିଲେ। ମାତ୍ର କାଳର କରାଳ ଗତିରେ ଗତ ଡିସେମ୍ବର ମାସରେ ମମତାଙ୍କ ସ୍ୱାମୀଙ୍କ ଅକାଳ ଦେହାନ୍ତ ପରେ ମମତା ଓ ତାଙ୍କ କୁନି ପୁଅ ହୋଇ ଯାଇଥିଲେ ଅସହାୟ। ତାଙ୍କର ଦେଖାଶୁଣା କରିବାକୁ ଆଉ କେହି ନ ଥିଲେ। ଏହି ସମୟରେ ବହୁ ଲୋକଙ୍କ ପରାମର୍ଶ କ୍ରମେ ଗୀତା ତାଙ୍କ ଭଉଣୀ ମମତା ଓ ତାଙ୍କ ଶିଶୁ ପୁତ୍ରର ଥଇଥାନ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ଆସି ଏ ବିଷୟରେ ଅବଗତ କରାଇଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଶ୍ରୀ ପ୍ରଧାନ ଉକ୍ତ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଥଇଥାନ ନିମନ୍ତେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ. ସରୋଜ କୁମାର ମିଶ୍ରଙ୍କ ପରାମର୍ଶ କ୍ରମେ ଉକ୍ତ ମହିଳାଙ୍କୁ ସୁନ୍ଦରଗଡ଼ସ୍ଥିତ ମାନସିକ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆସ୍ଥା ଗୃହକୁ ପଠାଇଥିଲେ। ସେହି ପରିପ୍ରେକ୍ଷୀରେ ମହିଳାଙ୍କ ସାତ ବର୍ଷର ଶିଶୁପୁତ୍ର ଚନ୍ଦନ ପଶାୟତକୁ ଥଇଥାନ ନିମନ୍ତେ ସଚିବ ଶୁଭଶ୍ରୀ ପ୍ରଧାନ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଏହା ପରେ ଉକ୍ତ ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଉକ୍ତ ଶିଶୁକୁ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଇଥିଲେ।