
ସୁନ୍ଦରଗଡ଼ (୦୫/୦୩) : ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗ ଆନୁକୁଲ୍ୟରେ ଏକ ଆନ୍ତର୍ଜାତୀୟ ୱେନିନାର ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହ୍ୟୁମାନିଟିଜ୍ ଇନ୍ ଦ ଡିଜିଟାଲ ଏଣ୍ଡ ଗ୍ଲୋବାଲ ୱାର୍ଲ୍ଡ ସନ୍ଦର୍ଭରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକାରୁ ଆରମ୍ଭ ହୋଇ ଦିବା ୧.୩୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ସର୍ବପ୍ରଥମେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଲଳିତ ରଞ୍ଜନ ସାହୁ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ୱେବିନାର୍ ର ସଫଳ ରୂପାୟନ ପାଇଁ ଶୁଭେଚ୍ଛା ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଇଂରାଜୀ ବିଭାଗର ମୁଖ୍ୟ ଓ ସଂଯୋଜକ ବୀରେନ୍ଦ୍ର କୁମାର ପଟେଲ ବିଭାଗର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ୟୁନେସ୍କୋ ପୁରସ୍କାରପ୍ରାପ୍ତ ଡ଼ଃ. ମହେନ୍ଦ୍ର କୁମାର ମିଶ୍ର ଆଧୁନିକ ଯୁଗରେ ଇଂରାଜୀ ଭାଷାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ନିମନ୍ତ୍ରିତ ଅତିଥି ସି.ଆଇ.ଇ.ଏଫ୍.ଏଲ୍ , ହାଇଦ୍ରାବାଦର ପୂର୍ବତନ କୁଳପତି ପ୍ରଫେସର୍ ଭି. ଗଣେଶନ ଇଂରାଜୀ ଭାଷାର କ୍ରମବିକାଶ, ସାଂପ୍ରତିକ କାଳରେ ବିଶ୍ୱସ୍ତରରେ ଏହାର ପ୍ରଭାବ ଏବଂ ସ୍ଥିତି ତଥା ଭାରତରେ ଇଂରାଜୀ ଭାଷା ଶିକ୍ଷାର ଆବଶ୍ୟକତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ଏକ ଉଚ୍ଚକୋଟୀର ସମୀକ୍ଷା ପ୍ରଦାନ କରିଥିଲେ। ସେହିପରି ପେନ୍ସିଲଭାନିଆ ବିଶ୍ଵବିଦ୍ୟାଳୟର ଗବେଷିକା କ୍ରିଷ୍ଟିନା ନିଏଲ୍ ସନ୍ ଇଂରାଜୀ ଭାଷା କଥନ ଏବଂ ପ୍ରୟୋଗରେ ମାତୃଭାଷାର ପ୍ରଭାବ ତଥା ବିପିଓ ବ୍ୟବସାୟ ଓ କଲ୍ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟା ଉପରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ।ସର୍ବଶେଷରେ ସମ୍ବଲପୁରସ୍ଥିତ ସିଲିକନ୍ ଟେକ୍ନୋଲୋଜି ଅନୁଷ୍ଠାନର ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଡ଼ଃ.ତ୍ୟାଗରାଜ ଠାକୁର ଇଂରାଜୀ ଭାଷା କିଭଳି ଭାରତୀୟ କଳା, ସଂସ୍କୃତି, ପରମ୍ପରା, ସାହିତ୍ୟ, ଆୟୁର୍ବେଦ, ଯୋଗ, ଦର୍ଶନ, ଜ୍ୟୋତିର୍ବିଜ୍ଞାନ ଇତ୍ୟାଦିର ପ୍ରଚାର ଓ ପ୍ରସାରରେ ସହାୟକ ହୋଇପାରିବ ସେହି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ୱେବିନାରକୁ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ପୀତାମ୍ବର ବେହେରା ପରିଚାଳନା କରିଥିଲେ। ପ୍ରଥମ ବର୍ଷ ଛାତ୍ରୀ ଅନନ୍ୟା ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଇଂରାଜୀ ବିଭାଗର ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ବର୍ତ୍ତମାନ ଅଧ୍ୟକ୍ଷ ଡ଼ଃ.ଲଳିତ ରଞ୍ଜନ ସାହୁଙ୍କ କାର୍ଯ୍ୟକାଳରେ ଏଭଳି ଅଭିନବ ପ୍ରୟାସର ମାତ୍ରାରେ ଅନେକ ବୃଦ୍ଧି ହୋଇଛି ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ନବ ଉଦ୍ଦୀପନା ସୃଷ୍ଟି କରିଛି।