ବର୍ଷାଙ୍କ ରିଟ ପିଟିସନକୁ ଖାରଜ କଲେ ହାଇକୋର୍ଟ

add-all

କଟକ: ବର୍ଷା-ଅନୁଭବ ମାମଲାର ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଆଜି ରାୟ ପ୍ରକାଶ କରି ବର୍ଷା ପ୍ରିୟଦର୍ଶୀନୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତ ଜାନୁଆରୀ ୬ ତାରିଖରେ ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା। ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଆଇନଜୀବୀ ସୁଜାତା ଜେନା ଓ ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଥିଲେ। ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

୨୦୨୨ ମେ ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଂଗକୁ ନେଇ ଅନୁଭବ ମହାନ୍ତି ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ନାନା କଥା ଚର୍ଚ୍ଚା ହୋଇଥିଲା। ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ବିଭିନ୍ନ କଥା ଚର୍ଚ୍ଚା ଦ୍ବାରା ମାନ ମର୍ଯାଦା ହାନି ହେଉଛି ବୋଲି ବର୍ଷା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କର ବ୍ୟକ୍ତିଗତ ଜୀବନ ନେଇ ସୋସିଆଲ ମିଡିଆରେ ବିଭିନ୍ନ କଥା ଅନୁଭବ ଆକ୍ଷେପ କରି କହୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ।

ଅନୁଭବ ଭିଡିଓ ମାଧ୍ୟମରେ ନିଜ ମତ ରଖୁଥିବା ବେଳେ ଏ ସବୁ ବର୍ଷାଙ୍କ ଜୀବନ ସହିତ ଜଡିତ। ପରିବାର ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଏହି ପ୍ରସଂଗରେ ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। କୌଣସି ସତ୍ୟତା ନଥିବା ଓ ଭିତ୍ତିହୀନ କଥା ସବୁ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କୁହାଯାଉଛି। ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ବର୍ଷାଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଦର୍ଶାଯାଇଥିଲା।

ad-week
Leave A Reply

Your email address will not be published.