ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ

add-all

ବ୍ରହ୍ମପୁର : ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାରରୁ ଆରମ୍ଭ ହୋଇଛି। ଦେଶୀ ବେହେରା ସାହିଠାରେ ଅସ୍ଥାୟୀ ମଣ୍ଡପରେ ସାଜସଜ୍ଜା ସରିଥିଲା। ମା’ଙ୍କ ଆଗମନ ନେଇ ମଙ୍ଗଳବାର ପୂର୍ବାହ୍ନରେ ଦେଶୀ ବେହେରାସାହିଠାରେ ସକାଳ ୮ଟାରେ ଧେଣ୍ଡୁରା ଦିଆଯାଇ ୯ଟାରେ ଅସ୍ଥାୟୀ ମଣ୍ଡପରେ ଝୋଟି ପକାଯାଇଥିଲା। ୧୧ଟାରେ ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରା ମା’ବୁଢୀ ଠାକୁରାଣୀ ଓ ସାନ ଠାକୁରାଣୀଙ୍କ ଡାକରା ନିମନ୍ତେ ଯାଇଥିଲେ। ଏହାପରେ ସନ୍ଧ୍ୟାରେ ମା’ଙ୍କ ଡାକରାର ଚାଙ୍ଗୁଡି ପୂଜା ଦେଶୀ ବେହେରାଙ୍କ ବାସଭବନରେ ଅନୁ୍‌ଷ୍ଠିତ ହୋଇଥିଲା। ମା’ ଠାକୁରାଣୀଙ୍କ ଆଗମନ ପୂର୍ବରୁ ମଙ୍ଗଳବାର ମୁଖ୍ୟ ପୀଠରେ ବିଶେଷ ନୀତିକାନ୍ତି କରାଯାଇଥିଲା। ଭୋରରୁ ମା’ ଠାକୁରାଣୀଙ୍କ ମାର୍ଜନା, ସିଙ୍ଗାର ମୁଖ, ଆଳତି ଓ ସର୍ବସାଧାରଣଙ୍କ ବାଳଭୋଗ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ମୁଖ୍ୟ ଆଳତି, ଦହି ଅନ୍ନ ଭୋଗ, ମଙ୍ଗଳ ଆଳତି ପରେ ଦେଶୀ ବେହେରାଙ୍କ ଡାକରା ଆସିଥିଲା। ଅପରାହ୍ନରେ ଠାକୁରାଣୀଙ୍କ ରାଜଭୋଗ ଓ ଅନ୍ନଭୋଗ କରାଯାଇଥିଲା। ସନ୍ଧ୍ୟାରେ ମଧ୍ୟ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ରାତି ୧୧ଟା ୪୦ରେ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ଅର୍ଥାତ୍‌ ଦେଶୀ ବେହେରା ସାହିଠାରୁ ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ଏକ ବିରାଟ ଶୋଭା ଯାତ୍ରାରେ ନଡିଆ ମାର୍କେଟ, ବଡ ବଜାରଠାରୁ ଖାସ୍ପା ସାହି, କୁଡି ପେଜିବାରୀ ସାହି, ଖଡରା ସାହି ଦେଇ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ।
ମାନସିକଧାରୀଙ୍କ ବେଶ, ଘୋଡା ଓ ବାଘ ମୁଖା ନୃତ୍ୟରେ ମୁଖ୍ୟ ମନ୍ଦିରଠାରେ ପହଞ୍ଚିଥିଲେ। ସେଠାରେ ଦେଶୀ ବେହେରା ସାଥିରେ ଆଣିଥିବା ମା’ଙ୍କ ପ୍ରତିମୂର୍ତ୍ତି ନିକଟରେ ଚାଙ୍ଗୁଡିକୁ ରଖି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହାପରେ ସେବାୟତ ଭାଗୀରଥି ଗନ୍ତାୟତ ଓ ଅନ୍ୟ ସେବାୟତଙ୍କ ଦ୍ୱାରା ମା’ଙ୍କ ଆଜ୍ଞାମାଳ ନିମନ୍ତେ ପୂଜାର୍ଚ୍ଚନା ହୋଇଥିଲା। ଏହି ପୂଜାରେ ୫ ପ୍ରକାର ମିଠା, ୭ ପ୍ରକାର ପିଠା, ୭ ପ୍ରକାର ଫଳ, ସୁରା ପାନ ଓ ବାଳ ଭୋଗ କରାଯାଇଥିଲା। ଏଥିସହ ମନ୍ଦିର ଉପରକୁ ମହାଦୀପ ଉଠାଯିବା ସହ ନୂତନ ପତାକା ବନ୍ଧାଯାଇଥିଲା। ଦୀର୍ଘ ସମୟର ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଅର୍ଥାତ ଠାକୁରାଣୀଙ୍କ ମସ୍ତକରୁ ଇଟିମଳା ଫୁଲ ଖସିଥିଲା। ସେହି ଫୁଲକୁ ଦେଶୀ ବେହେରା ଆଣିଥିବା ଚାଙ୍ଗୁଡିରେ ରଖାଯାଇଥିଲା। ଏହାପରେ ଦେଶୀ ବେହେରା ଉକ୍ତ ଆଜ୍ଞାମାଳକୁ ନେଇ ଅସ୍ଥାୟୀ ମଣ୍ଡପ ନିମନ୍ତେ ଯାତ୍ରା କରିଥିଲେ। ମା’ ଅସ୍ଥାୟୀ ମଣ୍ଡପକୁ ଆସିବା ସମୟରେ ପ୍ରବଳ ଜନସମାଗମ ହୋଇଥିଲା।
ତେବେ ଅସ୍ଥାୟୀ ମଣ୍ଡପରେ ଭୋର ୫ଟାରେ ମା’ ସାଆନ୍ତାଣୀ ବିଜେ ହେବା ପରେ ଦର୍ଶନ ନିମନ୍ତେ ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲାବାସୀ ଭିଡ ଜମାଇଥିଲେ।

ad-week
Leave A Reply

Your email address will not be published.