ଛୁଆର ମୃତଦେହ ଛାଡ଼ି ଯାଉନି ମା’ ହାତୀ

add-all

ବଣାଇ: ଆଖି ଆଗରେ ଛୁଆର ମୃତଦେହ ପଡ଼ିଥିବା ବେଳେ ଏହାକୁ ସହଜେ ଗ୍ରହଣ କରିପାରୁନି ମା’ ହାତୀ। ଛୁଆଟି ଉଠିଯିବ ଭାବି ତା’ ପାଖ ଛାଡ଼ି ଯାଉନି।ଛୁଆର ମୃତଦେହ ପାଖେପାଖେ ମା’ଟି ଘୁରି ବୁଲୁଛି। ସନ୍ତାନକୁ ହରାଇ ପାଗଳ ପ୍ରାୟ ହୋଇ ଯାଇଥିବା ମା’ କେତେବେଳେ ଜଙ୍ଗଲକୁ ପଳାଉଛି ତ ପୁଣି କେତେବେଳେ ନିଜ ଛୁଆକୁ ଆସି ଦେଖିଦେଉଛି। ଏପରି ଏକ ଭାବପ୍ରବଣ ଦୃଶ୍ୟ ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜର କୁସୁମୁଣ୍ଡି ଗାଁ ନିକଟରେ ଦେଖିବାକୁ ମିଳିଛି।

କୁସୁମୁଣ୍ଡି ଗାଁର କିଛି ମହିଳା ଜଙ୍ଗଲ ମଧ୍ୟ ଦେଇ ଯାଉଥିବା ବେଳେ ଏକ ହାତୀ ଛୁଆ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥିସହ ତା’ ଆଖପାଖରେ ଏକ ହାତୀ ବୁଲୁଥିବା ଦେଖି ଭୟଭୀତ ହୋଇ ଫେରି ଆସିଲେ।

ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଛୁଆଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗର ଟିମ୍ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ, ଛୁଆ ହାତୀଟି ପ୍ରାୟ ୧୫ ଦିନ ହେବ ଅସୁସ୍ଥ ହୋଇ ପଡ଼ିଥିଲା। ବନ ବିଭାଗ ପକ୍ଷରୁ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଆଜି ହାତୀ ଛୁଆର ମୃତଦେହ ମିଳିଛି । ତେବେ ଚିକିତ୍ସା କରାଯିବା ପରେ ବନ ବିଭାଗ ପକ୍ଷରୁ ହାତୀ ଛୁଆଟି ଉପରେ ନିୟମିତ ଭାବେ ନଜର ରଖାଯାଇଥିଲା ନା ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିନି।

ad-week
Leave A Reply

Your email address will not be published.