ଜାଲି ସାର୍ଟିଫିକେଟ ଦେଇ ଚାକିରି ପାଇଥିବା ୧୨ ଶିକ୍ଷକ ବହିଷ୍କୃତ…

add-all

ଫୁଲବାଣୀ : ନକଲି ଶିକ୍ଷା ପ୍ରମାମଣପତ୍ର ବା ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଚାକିରି କରୁଥିବା ୧୨ ଶିକ୍ଷକ ବହିଷ୍କୃତ। କନ୍ଧମାଳ ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି। ଫେକ୍‌ ସାର୍ଟିଫିକେଟ ଓ ଜବ୍ ରାକେର୍ଟ ରାଜ୍ୟରେ କାୟା ବିସ୍ତାର କରିଥିବା ଘଟଣା ଅଲୋଚନାର ବିଷୟ ହୋଇଥିବା ବେଳେ କନ୍ଧମାଳରୁ ଆସିଥିବା ଏହି ଖବର ଉଦ୍‌ବେଗକୁ ବଢ଼ାଇଛି।

ବାହାର ରାଜ୍ୟର ଜାଲି ବିଇଡି ସାର୍ଟିଫିକେଟ ଦାଖଲ କରି ଏମାନେ ଶିକ୍ଷକତା କରୁଥିଲେ। ୨୦୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ତଦନ୍ତରେ ଏମାନେ ଧରାପଡ଼ିଛନ୍ତି। ଏମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଚାକିରିରୁ ବହିଷ୍କାର କରାଯାଇଛି। ୨୦୧୫ ଏବଂ ୨୦୧୮ ମସିହାରେ କନ୍ଧମାଳ ଜିଲ୍ଲାରେ ଶିକ୍ଷା ସହାୟକ ନିଯୁକ୍ତି ହୋଇଥିଲା, ସେଥିରେ ବାହାର ରାଜ୍ୟର ନକଲି ବିଇଡି ସାର୍ଟିଫିକେଟ ଦାଖଲ କରି ଏମାନେ ଚାକିରି ହାତେଇଥିଲେ। ବିଭିନ୍ନ ଅଭିଯୋଗ ଏବଂ ଏହି ଶିକ୍ଷକମାନଙ୍କ ଚାକିରି ରେଗୁଲାର କରିବା ପୂର୍ବରୁ ତଦନ୍ତ ବେଳେ ଏହା ଧରାପଡ଼ିଛି।

ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସୂଚନା ମୁତାବକ, ୨୦୧୫ ଏବଂ ୨୦୧୮ ମସିହାରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ପ୍ରାୟ ୭ ମାସ ତଳେ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶ ଅନୁସାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଦୁଇ ବର୍ଷରେ ହୋଇଥିବା ନିଯୁକ୍ତିରେ ୨୧୯ ଜଣ ବାହାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାୟଳର ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ। ସାର୍ଟିଫିକେଟଗୁଡ଼ିକୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟମାନଙ୍କୁ ଯାଞ୍ଚ ନିମନ୍ତେ ପଠାଯାଇଥିଲା। ଯାଞ୍ଚ ରିପୋର୍ଟ ଆସିବା ପରେ ୧୨ ଜଣ ଶିକ୍ଷକଙ୍କ ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା। ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରୀରୁ ବହିଷ୍କାର କରାଯାଇଛି। ସେହିଭଳି ଆଉ ଯଦି କାହାର କୌଣସି ଅଭିଯୋଗ ଆସେ ତେବେ ତାହାର ମଧ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ସମୟରେ ଶିକ୍ଷା ସହାୟକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା ସେହି ସମୟରେ ନିଯୁକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ କିଭଳି ସାର୍ଟିଫିକେଟଗୁଡ଼ିକୁ ଯାଞ୍ଚ ନ କରି ଚାକିରି ଦେଲେ। ଏଥିରୁ ରାଜ୍ୟରେ ନକଲି ସାର୍ଟିଫିକେଟ ରାକେଟ ଓ ନକଲି ସାର୍ଟିଫିକେଟରେ ଚାକିରୀ ଦେଉଥିବା ରାକେଟ କାର୍ଯ୍ୟ କରୁଥିବା ସନ୍ଦେହକୁ ଦୃଢ଼ିଭୂତ କରିଛି।

ad-week
Leave A Reply

Your email address will not be published.