
ବ୍ରହ୍ମପୁର : ବିଏମସି ଟଙ୍କାରେ କର୍ପୋରେଟରଙ୍କ ଘର ପାଲଟିଲା ପାର୍କ । ସୂଚନା ଥାଉକି ବିଏମସିର ୩୮ ନଂ ୱାର୍ଡ ଅନ୍ତର୍ଗତ ଲାଞ୍ଜିପଲ୍ଲି ଗାଇ ପଡ଼ିଆ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅଞ୍ଚଳର କର୍ପୋରେଟର ନିଜ ସୁବିଧା ପାଇଁ ବିଏମସି ଟଙ୍କାରେ ନିଜ ଘର ପାଖରେ ହିଁ ବ୍ୟାୟାମ ସାମଗ୍ରୀ ସ୍ଥାପନ କରିଦେଇଥିବା ଅଭିଯୋଗ ହେଉଛି । ସୂଚନାପ୍ରକାରେ, ଆଜକୁ ୩ ମାସ ତଳେ ୩୮ ନଂ ୱାର୍ଡର ଲାଞ୍ଜିପଲ୍ଲି କେଶବ ନଗର ମୁଖ୍ୟରାସ୍ତା ଗାଇପଡିଆ ନିକଟରେ ଥିବା ସରକାରୀ ଜମିରେ ସର୍ବସାଧାରଣଙ୍କ ପାଇଁ ଏକ ମୁକ୍ତ ବ୍ୟାୟାମଶାଳା ତଥା ଶିଶୁଙ୍କ ପାଇଁ ଖେଳ ସାମଗ୍ରୀ ବିଶିଷ୍ଟ ପାର୍କ ନିର୍ମାଣ କରା ଯାଇଥିଲା। ଏଥିପାଇଁ ବିଏମସି ପକ୍ଷରୁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ସ୍ଥାନୀୟ କର୍ପୋରେଟର ଏହି ପାର୍କ ପାଇଁ ଆସିଥିବା କେତେକ ସାମଗ୍ରୀ ନିଜ ଘର ନିକଟରେ ସ୍ଥାପନ କରିଛନ୍ତି, ଯାହାକି ନିୟମ ବିରୁଦ୍ଧ । ଏପରିକି ବିଏମସି ଟଙ୍କାରେ ଘର ନିକଟରେ ବସିବା ପାଇଁ ଏକାଧିକ ସିମେଣ୍ଟ ଚେୟାର ନିର୍ମାଣ କରିଦେଇଛନ୍ତି । ବିଏମସି ପକ୍ଷରୁ ଗୋଟିଏ ସ୍ଥାନରେ ପାର୍କ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିବା ବେଳେ କର୍ପୋରେଟର ନିଜ ଇଚ୍ଛାରେ ଦୁଇଟି ସ୍ଥାନରେ ପାର୍କ କିପରି ନିର୍ମାଣ କରିଥିବା ନେଇ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ନିନ୍ଦା କରାଯାଇଛି । ମୁଖ୍ୟ ସ୍ଥାନରେ ଲୋକଙ୍କ ଭିଡ ଜମୁଥିବା ବେଳେ କର୍ପୋରେଟରଙ୍କ ଘର ନିକଟକୁ କେହି ବ୍ୟାୟାମ କରିବାକୁ ଯାଉନାହାନ୍ତି । ଫଳରେ ଟଙ୍କା ଖର୍ଚ୍ଚ କରି ଲଗାଯାଇଥିବା ସେହି ବ୍ୟାୟାମ ସାମଗ୍ରୀ ଲୋକଙ୍କ କାମରେ ଲାଗି ପାରୁନି । ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମୋହଲ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି l କେଉଁ ଆଧାରରେ ଏହି ପରି କରାଯାଇଛି ତାହା ତଦନ୍ତ ସାପେକ୍ଷ ଯାହାକୁ ନେଇ ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ରେ ଅଭିଯୋଗ ହୋଇଛି