ଭାରତକୁ ନାଲି ଆଖି ଦେଖାଇଲା ୟୁରୋପୀୟ ୟୁନିଅନ, କଡ଼ା ଜବାବ ଦେଲେ ଜୟଶଙ୍କର…

add-all

ନୂଆଦିଲ୍ଲୀ : ଭାରତ ଉପରେ ଭଡ଼କିଲା ୟୁରୋପୀୟ ୟୁନିଅନ । ଖପ୍ପା ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଲା। ଭାରତ ନିଜର ଏହି ଅଭ୍ୟାସ ତୁରନ୍ତ ନ ବଦଳାଇଲେ କଡ଼ା କର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛି। ହେଲେ ଏହା ପ୍ରତ୍ୟୁତ୍ତରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବି ୟୁରୋପକୁ ଦେଇଛନ୍ତି କଡ଼ା ଜବାବ ।
ୟୁରୋପୀୟ ୟୁନିୟନର ଅଭିଯୋଗ ଅନୁଯାୟୀ, ଇୟୁ ତରଫରୁ ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ସତ୍ତ୍ୱେ ଭାରତ ରୁଷରୁ କଞ୍ଚା ତେଲ ଆମଦାନୀ କରୁଛି। ଆଉ ଏହି ତେଲକୁ ପ୍ୟୁରିଫାଏ କରି ଉଚ୍ଚ ଦରରେ ୟୁରୋପୀୟ ଦେଶକୁ ବିକୁଛି। ଏହାଦ୍ୱାର ଭାରତ ୟୁରୋପୀୟ ୟୁନିୟନର ପ୍ରତିବନ୍ଧକକୁ ବେଖାତିର କରୁଥିବା ପ୍ରମାଣିତ ହେଉଛି।
ରୁଷ- ୟୁକ୍ରେନ ଯୁଦ୍ଧ ଲାଗିବା ପରଠୁ ରୁଷ ରାଜକୋଷକୁ ଦୁର୍ବଳ କରିବାକୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁରୋପୀୟ ୟୁନିୟନ । ମାତ୍ର ଭାରତ ଏହାକୁ ଉଲ୍ଲଘଂନ କରି ରୁଷ ସହ ମିଶି ଯାଇଛି।
ୟୁରୋପୀୟ ୟୁନିୟନର ବିଦେଶ ନୀତି ପ୍ରମୁଖ ଜୋସେପ ବୋରେଲଙ୍କ କହିବାନୁଯାୟୀ, ଭାରତ ରୁଷଠାରୁ କଞ୍ଚା ତେଲ କିଣିଲେ ଆମର କିଛି ସମସ୍ୟା ନାହିଁ । କିନ୍ତୁ ଭାରତ ଏହାକୁ ରିଫାଇନ କରି ଆମକୁ ବିକି ବେଶ୍‌ ଲାଭବାନ ହେଉଛି। ଏହାଦ୍ୱାରା ଋଷ ରାଜକୋଷ ବି ଭରପୂର ରହୁଛି।
ଦେଢ ବର୍ଷ ପୂର୍ବରୁ ଭାରତ ମାତ୍ର ୧% କଞ୍ଚା ତେଲ ଋଷଠାରୁ କିଣୁଥିବା ବେଳେ ବର୍ତ୍ତମାନ ଏହା ବଢ଼ି ୧୫ %ରେ ପହଞ୍ଚିଛି। ତେଣୁ ଭାରତ ଏବେ ରୁଷଠାରୁ ତେଲ ଆମାଦାନୀ କରୁଥିବା ଦେଶ ତାଲିକାରେ ପ୍ରଥମରେ ରହିଛି।
ଏହାଦ୍ୱାରା ରୁଷ ଉପରେ ଲାଗୁ ହୋଇଥିବା କଟକଣା କାମ କରୁନି। ଭାରତକୁ ତେଲ ବିକି ରୁଷ ପୂର୍ବ ପରି ପ୍ରବଳ ରାଜସ୍ୱ ଆଦାୟ କରି ପାରୁଛି। ଏହା ଉପରେ ୟୁରୋପୀୟ ୟୁନିୟନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲଗାଇବ ବୋଲି ଚେତାଇ ଦେଇଛନ୍ତି । ୟୁରୋପୀୟ ୟୁନିୟନର ସଦସ୍ୟ ରାଷ୍ଟ୍ର ଖୁବ୍‌ ଶୀଘ୍ର ଏହା ଉପରେ ରୋକ ଲଗାଇବାର ବାଟ ବାହାର କରିବେ ବୋଲି ସେ କହିଛନ୍ତି ।
ଜୋସେପ ବୋରେଲଙ୍କ କହିବାନୁଯାୟୀ, ରୁଷର ତେଲ ବିକ୍ରି ଉପରେ ନିୟନ୍ତ୍ରଣ ଆଣିବା ନିମନ୍ତେ ଜି-୭ ଦେଶଗୁଡ଼ିକ ତରଫରୁ ‘ପ୍ରାଇସ୍‌ କ୍ୟାପ୍‌’ ଲାଗୁ କରାଯାଇଥିଲା। ଏହାଦ୍ୱାରା ରୁଷ ତେଲର ଦର ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖାଯାଇଥିଲା। ଏହାଦ୍ୱାରା ଋଷ କମ୍‌ ରାଜସ୍ୱ ଆଦାୟ କରିବା ଲକ୍ଷ୍ୟରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା।
ମାତ୍ର ଏହାର ଫାଇଦା ଉଠାଉଛି ଭାରତ । ଚଳିତ ବର୍ଷ ମାର୍ଚ୍ଚରେ ଭାରତ ପ୍ରାୟତଃ ୧,୬୦,୦୦୦ ବ୍ୟାରେଲ କଞ୍ଚା ତେଲ ପ୍ରତିଦିନ ରୁଷରୁ ଆମଦାନୀ କରୁଛି। ଭାରତ କମ୍‌ ରେଟ୍‌ରେ ତେଲ କିଣି ତାହାକୁ ୟୁରୋପୀୟ ଦେଶମାନଙ୍କୁ ଅଧିକ ରେଟ୍‌ରେ ବିକୁଛି। ଫଳରେ ଭାରତ ଏବେ ରୁଷର ଉତ୍ପାଦକୁ ଅଧିକ ରେଟ୍‌ରେ ଆମକୁ ବିକୁ ମାଲେମାଲ ହେଉଛି ।
ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବେ ବ୍ରୁସେଲ୍ସ ଗସ୍ତରେ ଥିବା ବେଳେ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି , ଆପଣ ଇୟୁ କାଉନସିଲର ନିୟମକୁ ଦେଖନ୍ତୁ। ରୁଷର ଅଶୋଧିତ ତେଲ ତୃତୀୟ ଦେଶରେ ପ୍ରବେଶ କଲେ ତାହା ରୁଷର ବୋଲି ବିବେଚନା କରିବା ଭୁଲ । ଏଥିନିମନ୍ତେ ପରିଷଦର ନିୟମାବଳୀକୁ ଭଲ ଭାବେ ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି।
ଏଥିସହ ଜୟଶଙ୍କର କହିଛନ୍ତି, ୟୁରୋପୀୟ ଦେଶ ସବୁବେଳେ ନିଜ ପ୍ରାଥମିକତାକୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟମାନଙ୍କୁ ଭୁଲି ଯାଇଥାନ୍ତି। ଏଥିସହ ରୁଷ ସହ ଆମର ବ୍ୟାପାର ଖୁବ୍ ତଳ ସ୍ତରରେ ଥିବା ସେ କହିଛନ୍ତି। ଏଥିଯୋଗୁ ଆଉ କାହାର କିଛି ସମସ୍ୟା ଉପୁଜିବ ବୋଲି ମୁଁ ଭାବି ପାରୁ ନ ଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.