ଜେଲରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

add-all

ନୂଆଦିଲ୍ଲୀ : ଜେଲରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ ଆଜି ହଠାତ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ତୁରନ୍ତ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ପ୍ରକୃତରେ ଜୈନଙ୍କର କ’ଣ ହୋଇଛି, ସେକଥା ଜଣାପଡ଼ିନି। ଏବେ ବି ସେ ହସ୍ପିଟାଲରେ ରହିଛନ୍ତି।
ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ ଗତ ଗୁରୁବାର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୈନଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ।
ସେ ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଜୈନ ବର୍ତ୍ତମାନ ଅତ୍ୟନ୍ତ ସାଂଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ଓଜନ ୩୫ କେଜି କମି ସାରିଲାଣି। ସେ କଙ୍କାଳ ବନି ଗଲେଣି।
ଏହା ଶୁଣିବା ପରେ ସୁପ୍ରିମକୋର୍ଟ ନୋଟିସ କରିବା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଜୈନଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଅବକାଶକାଳୀନ ବେଞ୍ଚଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଦେଇଥିଲେ। ଜୈନ ଜାମିନ ପାଇଁ ସେଠାରେ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଇଡି ଦ୍ୱାରା ରୁଜୁ ମନି ଲଣ୍ଡରିଂ ମାମଲାରେ ଜୈନ ଗତବର୍ଷ ମେ’ ୩୦ରେ ଗିରଫ ହୋଇଥିଲେ। ସେବେଠାରୁ ସେ ଜେଲରେ ରହିଛନ୍ତି।

ad-week
Leave A Reply

Your email address will not be published.