
ବ୍ରହ୍ମପୁର : କିଶୋରୀମାନଙ୍କ ଦ୍ବାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ରହ୍ମପୁର ସହରରେ ମାସିକ ଋତୁସ୍ରାବ ସମ୍ବନ୍ଧିତ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ଵାସ ଉପରେ ଲଢେଇ ଆରମ୍ଭ ହୋଇଛି । ସେମାନେ ଗ୍ରାମାଞ୍ଚଳ ଓ ସହରର କିଶୋର , କିଶୋରୀ ଏବଂ ଯୁବକ , ଯୁବତୀ ମାନଙ୍କ ସହିତ ମାସିକ ରୁତୁସ୍ରାବ ସମ୍ବନ୍ଧୀୟ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ଵାସ, ରୁତୁସ୍ରାବ ପରିଷ୍କାର ପରିଚ୍ଛନ୍ନତା ଜନିତ ଦ୍ରବ୍ୟ ପାଇବା , ପରିମଳ ଭିତ୍ତିଭୂମୀ , ସରକାରୀ ସେବା ଓ ସୁବିଧା ଏବଂ ସମାଜରେ ହେଉଥିବା ମହିଳା ଏବଂ ବାଳିକା ମାନଙ୍କ ସହିତ ଲିଙ୍ଗଗତ ଭେଦଭାବ ଉପରେ ପ୍ରଚାର କରୁଛନ୍ତି ।
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତରଗତ ବଡ଼କୁଶସଥଳୀ ,ସାତକୁଟୁଣୀ ,କୋଥରଶିଙ୍ଗୀ , ଇନ୍ଦ୍ରାକ୍ଷୀ ,ଚିକରଡ଼ା ଗ୍ରାମ ପଞ୍ଚାୟତ ଭଳି ୩୨ ତା ଗ୍ରାମ ପଞ୍ଚାୟତ ଓ ବ୍ରହ୍ମପୁର ସହରର ୨୦ ଟି ବସ୍ତି ରେ ଏପରି ଯୁବକ ଯୁବତୀ ମାନଙ୍କ ସହିତ ସେମାନଙ୍କର ସ୍ବାସ୍ଥ୍ୟ , ଶିକ୍ଷା ଓ କୌଶଳ ବିକାଶ ଉପରେ ଆଲୋଚନା କରୁଛନ୍ତି। ଋତୁସ୍ରାବ ସମ୍ପର୍କିତ ପ୍ରାରମ୍ଭିକ ଏବଂ ସଠିକ ଜ୍ଞାନ ଜଣେ କିଶୋରୀ ପାଖରେ ନିହାତି ରହିବା ଆବଶ୍ୟକ। ଯେମିତି କି ରୁତୁସ୍ରାବ ଏକ ସ୍ଵଭାବିକ ପ୍ରକ୍ରିୟା ଭାବରେ ସମସ୍ତ ନାରୀମାନଙ୍କ ଜୀବନରେ ଘଟେ। ଆମ ସମାଜରେ ରୁତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା , ନିୟମିତ ବ୍ୟାୟାମ କରିବା , ପୋଷଣଯୁକ୍ତ ଖାଦ୍ଯ ଖାଇବା , ଦିନକୁ ୪ ରୁ ୫ ଲିଟର ପାଣି ପିଇବା ଆଦି ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ପରୁଷମାନେ ମହିଳା ମାନଙ୍କର ଏହି ସମସ୍ଯାକୁ ଠିକ ଭାବରେ ବୁଝି ତାର ଗୁରୁତ୍ବକୁ ସଠିକ ଭାବରେ ଅନୁଭବ କରିବା ଦରକାର । ରୁତୁସ୍ରାବ ସମୟରେ ମହିଳାମାନଙ୍କୁ ପୁରୁଷମାନେ ଘର କାମରେ ସହଯୋଗ କରିବା ଦରକାର । ଏକ ସୁସ୍ଥ ଜୀବନ ଯାପନ ପାଇଁ ଋତୁସ୍ରାବ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ ତଥ୍ୟ ପୁରୁଷ ମହିଳା ନିର୍ବିଶେଷରେ ସମସ୍ତଙ୍କ ପାଖରେ ନିହାତି ରହିବା ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା।
ପାଖାପାଖି ୧୦୦୦ ରୁ ଅଧିକ କିଶୋରୀ ମାନଙ୍କୁ ମାସିକ ଋତୁସ୍ରାବ ସମ୍ପର୍କିତ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ଵାସ ସହିତ ଲଡ଼ିବା , ରୁତୁସ୍ରାବ ଜନିତ ଦ୍ରବ୍ୟ ଓ ପରିମଳ ଭିତିଭୂମିର ସୁବିଧା ପାଇବା , ଜୀବନର କୌଶଳ , ସ୍କୁଲ ଓ କଲେଜରେ ପାଠପଢା ତ୍ୟାଗ କରିଥିବା ଯୁବକ ଯୁବତୀ ମାନେ ପୁଣି ପାଠପଢା ଆରମ୍ଭ କରିବା , ନେତୃତ୍ବ ନେବାର ଦକ୍ଷତା , ସଠିକ ବୟସ ରେ ବିବାହ କରିବା ଏବଂ ଲିଙ୍ଗଗତ ସାମାଜିକ ଅସମାନତା ଉପରେ ସଚେତନତା କରାଯାଇଛି।
ସାମାଜିକ ନୀରବତାକୁ ଭଙ୍ଗିବା , ସଚେତନତା ଏବଂ ନକରାତ୍ମକ ସାମାଜିକ ମୂଲ୍ୟବୋଧର ପରିବର୍ତ୍ତନ କରିବା ପାଇଁ ବିଶ୍ବ , ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ପରିଚ୍ଛନ୍ନତା ଋତୁସ୍ରାବ ପାଇଁ “ବିଶ୍ବ ରୁତୁସ୍ରାବ ଦିବସ “ ପାଳନ କରାଯାଇଥାଏ । ଆଜି ମେ ୨୮ “ ବିଶ୍ବ ରୁତୁସ୍ରାବ ଦିବସ “ଉପଲକ୍ଷେ ଆଦ୍ବିକା ଗୋଷ୍ଠୀର କିଶୋର କିଶୋରୀ ଓ ଅଙ୍ଗନବାଡି କର୍ମୀ ମାନେ ବିଭିନ୍ନ ଅଞ୍ଚଳ ରେ ପାଳନ କରିଛନ୍ତି । ଏଥି ସହ ସେମାନେ ନିଜର ହାତ ପାପୁଲିରେ ନାଲି ବିନ୍ଦି ଲଗାଇ , ପୋଷ୍ଟର , ପ୍ଲା କାର୍ଡ ମାଧ୍ୟମରେ ଅନ୍ୟ ମାନଙ୍କୁ ସଚେତନ କରିଥଲେ।
ସ୍ଥନୀୟ ସ୍ଵେଚ୍ଛାସେବୀ ସଂସ୍ଥା “ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ “ (YSD) ଏହି କିଶୋର କିଶୋରୀ ମାନଙ୍କୁ ତାଲିମ ପ୍ରଦାନ କରିବା ସହ ଏକ ଶିଶୁ ଓ କିଶୋର କିଶୋରୀ ବନ୍ଧୁତ୍ଵ ପୂର୍ଣ୍ଣ ପରିବେଶ ଗଠନ ଉପରେ କାମ କରିଆସୁଅଛି। ୟୁଥ ଫର ସୋସିଆଲ ଡେଭଲପମେଣ୍ଟ “ (YSD) ଗଞ୍ଜାମ ଜିଲ୍ଲାରେ ମାସିକ ରୁତୁସ୍ରାବ ସମ୍ବନ୍ଧୀୟ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ଵାସକୁ ଦୂର କରିବା ସହ ସମାଜରେ ରହିଥିବା ନକରାତ୍ମକ ଚିନ୍ତାଧାରା କୁ ହଟେଇବା ପାଇଁ ଲକ୍ଷ୍ୟ ରଖିଛି । ୟୁଥ ଫର ସୋସିଆଲ ଡେଭଲପମେଣ୍ଟ “ (YSD) ର ସୁଦୀପ ଚକ୍ରବର୍ତ୍ତୀ , ବିପ୍ଲବ ବେହେରା , ମାମାଲି ପଣ୍ଡା , ଗୀତାଞ୍ଜଳୀ ପାଣିଗ୍ରାହୀ ଓ ସୃତିକୁମାରୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।