
ଚିକିଟୀ : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଲିଆଖାଇ ଗ୍ରାମ ପରେ ପରେ ରହିଥିବା ଏକ କଲଭର୍ଟ ନିକଟରେ ଟ୍ରକ୍ ସହ ବାଇକ୍ ଧକ୍କା ହୋଇ ଜଣେ ଯୁବକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଘଟଣା ରୁ ପ୍ରକାଶ ଯେ ଚିକିଟୀ ପେଣ୍ଠ ପ୍ରତାପ ସାହୁଙ୍କ ପୁଅ ମହେଶ ସାହୁ ଓ ପଣ୍ଡିତରାୟସାହିର ଲକ୍ଷ୍ମୀକାନ୍ତ ବେହେରା ଅନଲାଇନ୍ ବ୍ୟବସାୟ କରୁଥିବା ଏକ କମ୍ପାନୀ ର କାମ ସାରି ଚିକିଟୀ ପଟ ନିଜ ଘରକୁ ଫେରୁଥିଲେ। ରାସ୍ତା ରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳ ରୁ ଉଭୟଙ୍କୁ ଅଟୋ ଯୋଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ। ସେଠାରେ ଡାକ୍ତର ମହେଶ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥା ରେ ଲକ୍ଷ୍ମୀକାନ୍ତ ଙ୍କୁ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଧାନଘର ଫାଣ୍ଡି ଭାରପ୍ରାପ୍ତ ପୋଲିସ ଏ ଏସ ଆଇ ସୁରେଶ ଚନ୍ଦ୍ର ମୁର୍ମୁ ଘଟଣା ସ୍ଥଳ ରେ ପହଞ୍ଚି ଟ୍ରକ୍ ଓ ବାଇକ୍ ଜବତ କରିବା ସହ ଟ୍ରକ ଡ୍ରାଇଭର ହେଲପର ଅଟକ ଥିବା ସୂଚନା ଦେଇଛନ୍ତି।