
ଫୁଲବାଣୀ : ଭୁବନେଶ୍ଵରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନ ସେବାର ଉଦ୍ଘାଟନୀ ଉତ୍ସବ ଅବସରରେ କନ୍ଧମାଳ ସମେତ ରାଜ୍ୟର ୧୧ ଗୋଟି ଜିଲ୍ଲାରୁ ୧୧ ଜଣ ମିଶନଶକ୍ତି ସଭାନେତ୍ରୀ ସିଙ୍ଗାପୁର ଯିବା ପାଇଁ ମନୋନୀତ ହୋଇଛନ୍ତି । ଏହି କ୍ରମରେ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ କିରାମାହାରେ ଗଠିତ ପ୍ରଗତି ମିଶନ ଶକ୍ତି ମହାସଂଘର ସଭାନେତ୍ରୀ ଶ୍ରୀମତୀ କୁମୁଦିନୀ ଦିଗାଲ ସେମାନଙ୍କ ସହିତ ତା ୦୩.୦୬.୨୦୨୩ ରିଖ ଦିନ ସିଙ୍ଗାପୁର ଗ୍ରସ୍ତରେ ଯିବେ ବୋଲି ଜଣାପଡ଼ିଛି । ସେଥିପାଇଁ ଆଜି କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିଛନ୍ତି। ସେମାନେ ସେମାନଙ୍କର ଏକ୍ସପୋଜର ପରିଦର୍ଶନର ଅବ୍ୟବହିତ ପୂର୍ବରୁ ତା ୦୨.୦୬.୨୦୨୩ ରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସିଙ୍ଗାପୁରରେ ସେମାନେ ଏକ୍ସପୋଜର ପରିଦର୍ଶନ ସମୟ ମଧ୍ୟରେ ସ୍ଵୟଂ ସହାୟିକା ଗୋଷ୍ଠୀକୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗରେ ପରିଣତ କରିବା, ସୌନ୍ଦର୍ଯ୍ୟ ଓ ସୁସ୍ଥତା ଶିଳ୍ପ ପାଇଁ ଜ୍ଞାନ ଆହରଣ କରିବା ଏବଂ ସର୍ବୋପରି ନିଜ ନିଜର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଭ୍ରମଣ କରିବା ସହିତ ସେମାନଙ୍କ ସ୍କୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଉତ୍ପାଦିତ ଦ୍ରବ୍ୟଗୁଡ଼ିକପାଇଁ ବଜାରର ଅନୁସନ୍ଧାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀମତୀ ଦିଗାଲ କହିଛନ୍ତି। ସେଠାରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଭେଟି ସେମାନଙ୍କ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ଉତ୍ପାଦଗୁଡ଼ିକୁ ବିକ୍ରି କରିବା ପାଇଁ ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି ସେ କହିଥିଲେ। ସେଠାରୁ ଫେରିଲେ, ଜିଲ୍ଲାରେ ଥିବା ସ୍ଵୟଂ ସହାୟିକା ଗୋଷ୍ଠୀଗୁଡ଼ିକର ସଦସ୍ୟମାନଙ୍କୁ ସେଠାରୁ ଲାଭ କରିଥିବା ଜ୍ଞାନ କୌଶଳକୁ ବାଣ୍ଟିବେ ବୋଲି ସେ କହିଥିଲେ । ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାରଙ୍କର ମିଶନଶକ୍ତି ବିଭାଗ ସଚିବ, କନ୍ଧମାଳ ଜିଲ୍ଲାପାଳ, ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନଶକ୍ତି, କନ୍ଧମାଳଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।