ଘରକୁ ଫେରିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା

add-all

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଦିଲ୍ଲୀରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ଶେଷରେ ଘରକୁ ଫେରିଛନ୍ତି। କେବଳ ସାକ୍ଷୀ ମଲ୍ଲିକ ଏକମାତ୍ର ଆନ୍ଦୋଳନକାରୀ ଭାବେ ଦିଲ୍ଲୀରେ ରହିଛନ୍ତି। ଆନ୍ଦୋଳନକାରୀମାନେ ଏବେ ନୀରବ ପ୍ରତିବାଦ କରୁଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କିଛି ପ୍ରତିକ୍ରିୟା ଦେଇନାହାନ୍ତି।
ଆନ୍ଦୋଳନକାରୀମାନେ ଗତ ଏପ୍ରିଲ୍‌ ୨୩ ତାରିଖରେ ଯନ୍ତର ମନ୍ତରରେ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚଲାଇଥିଲେ। ରବିବାର ନୂଆ ସଂସଦ ଭବନ ଆଗରେ ମହିଳା ପଞ୍ଚାୟତ କରିବାକୁ ଯାଉଥିବା ସମୟରେ ଦିଲ୍ଲୀ ପୁଲିସ୍‌ ସମସ୍ତଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଏହି ସମୟରେ ପୁଲିସ୍‌ ଆନ୍ଦୋଳନସ୍ଥଳକୁ ଖାଲି କରିବା ସହ କୁସ୍ତିଯୋଦ୍ଧାମାନଙ୍କୁ ସେଠାରେ ଆଉ ଆନ୍ଦୋଳନ କରିବାକୁ ଅନୁମତି ଦେଇନଥିଲା। ତଥାପି କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯେଉଁଥିପାଇଁ କୁସ୍ତିଯୋଦ୍ଧାମାନେ ସେମାନଙ୍କ ପଦକଗୁଡ଼ିକୁ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ଚାହିଁଥିଲେ। କିନ୍ତୁ ଭାରତୀୟ କିଷାନ ୟୁନିୟନ୍‌ ଜାତୀୟ ସଭାପତି ନରେଶ ଟିକାୟତ କୁସ୍ତିଯୋଦ୍ଧ‌ାମାନଙ୍କଠାରୁ ୫ ଦିନ ସମୟ ନେବାରୁ ଆନ୍ଦୋଳନ ସାମାନ୍ୟ ଶାନ୍ତ ପଡ଼ିଛି।
କ୍ରୀଡ଼ାକୁ କ୍ଷତି ପହଞ୍ଚିବା ଭଳି ପଦକ୍ଷେପ ନିଅନ୍ତୁନାହିଁ: ଅନୁରାଗ
କ୍ରୀଡ଼ାକୁ କ୍ଷତି ପହଞ୍ଚିବା ଭଳି କୌଣସି ପଦକ୍ଷେପ ନନେବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କୁ ପରାମର୍ଶ ଦେଇଛନ୍ତି। କୁସ୍ତିଯୋଦ୍ଧାମାନେ ଧର୍ଯ୍ୟ ରଖିବା ସହ ଡବ୍ଲୁଏଫ୍‌ଆଇର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଚାଲିଥିବା ତଦନ୍ତ ଉପରେ ବିଶ୍ବାସ ରଖିବାକୁ ସେ କହିଛନ୍ତି। ଗଙ୍ଗାରେ କୁସ୍ତିଯୋଦ୍ଧାମାନେ ପଦକ ବିସର୍ଜନ କରିବାକୁ ନିଷ୍ପତ୍ତି ନେବାର ଦିନକ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ କ୍ରୀଡ଼ାମନ୍ତ୍ରୀ ଏହି ମତ ରଖିଛନ୍ତି।

ad-week
Leave A Reply

Your email address will not be published.