ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ସିଟ୍ ବୃଦ୍ଧି ପାଇଁ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

add-all

ଫୁଲବାଣୀ : ଚଳିତ ବର୍ଷ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ନାମ ଲେଖା ବୃଦ୍ଧି ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥାଭାବ ହେଉ ବା ଆବଶ୍ୟକତାରୁ କମ୍ ନମ୍ବର ରଖିଥିବା ହେତୁ ମହାବିଦ୍ୟାଳୟରେ ପଡ଼ିବାକୁ ସୁଯୋଗ ପାଉନାହାଁନ୍ତି କିମ୍ବା ପରିବାର ପୋଷିବା ପାଇଁ ଶିଘ୍ର ରୋଜଗାର ଚାହୁଁଛନ୍ତି, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମାନଙ୍କରେ ତାଲିମ ନେବାପାଇଁ ସେମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ସେହି ଯୋଜନାରେ ଆସୁଥିବା ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ମାଗଣାରେ ତାଲିମ ନେଇସାରି ସୁନିଶ୍ଚିତ ରୋଜଗାରକ୍ଷମ ହୋଇପାରିବେ । ସେଥ‌ିପାଇଁ ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ, କୋଟଗଡ଼, ଦାରିଙ୍ଗବାଡ଼ି ଏବଂ ପଲିଟେକ୍‌ନିକ୍, ଫୁଲବାଣୀରେ ଅଧିକ ସଂଖ୍ୟକ ପିଲାଙ୍କ ନାମ ଲେଖା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁଷ୍ଠାନ ଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରତି ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ସହଯୋଗରେ କାଉନ୍ସେଲିଂ କରିବାକୁ ପରାମର୍ଶ ଦେଇଥିଲେ। କାଉନ୍ସେଲିଂ ସମୟରେ ଜିଲ୍ଲା ନିୟୋଜନ ଅଧିକାରୀ , ସ୍ଥାନୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସର୍ବୋପରି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ, କୋଟଗଡ଼, ଦାରିଙ୍ଗବାଡ଼ି ଏବଂ ପଲିଟେକ୍‌ନିକ୍, ଫୁଲବାଣୀର ଅଧ୍ୟକ୍ଷମାନଙ୍କ ଉପସ୍ଥିତି ନିହାତି ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ।ଆଲୋଚନାରୁ ଜଣାପଡ଼ିଛିଯେ, ସରକାରୀ ଆ.ଟି.ଆଇ.ରେ ସବୁ ବର୍ଗର ଝିଅ(ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟା ଲଘୁ ଓ ସାଧାରଣ ବର୍ଗ)ଙ୍କ ପାଇଁ ସୁଦକ୍ଷା ଯୋଜନା ଦ୍ଵାରା ସମ୍ପୂର୍ଣ୍ଣ ମାଗଣାରେ ନାମ ଲେଖା ଓ ହଷ୍ଟେଲରେ ରହିବା ବ୍ୟବସ୍ଥା ରହିଛି । ହଷ୍ଟେଲରେ ରହୁଥ‌ିବା ସବୁବର୍ଗର ଛାତ୍ରୀମାନଙ୍କୁ ମାସିକ ୧୫୦୦ଟଙ୍କା ଓ ଯିବା ଆସିବା କରୁଥିବା ସବୁବର୍ଗର ଛାତ୍ରୀମାନଙ୍କୁ ମାସିକ ୫୦୦ଟଙ୍କା ଷ୍ଟାଇପେଣ୍ଡ ବ୍ୟବସ୍ଥା ରହିଛି । ଶିକ୍ଷା ସମାପ୍ତି ପରେ ଛାତ୍ରଛାତ୍ରୀଙ୍କ ପାଇଁ ଆପ୍ରେଣ୍ଟିସ୍‌ ସମୟରେ ସରକାରଙ୍କ ତରଫରୁ ଷ୍ଟାଇପେଣ୍ଡ ବ୍ୟବସ୍ଥା ରହିଛି। ସେହିପରି, ଓଡ଼ିଶା ବାହାରେ ଆପ୍ରେଣ୍ଡିସ୍ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ତରଫରୁ ୫ ହଜାର ଟଙ୍କା ଅନୁଦାନ ବ୍ୟବସ୍ଥା ରହିଛି । ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ବୃତ୍ତି ଯୋଜନା ରହିଛି । ମାଗଣା ଲାଇବ୍ରେରୀ ପାଠ୍ୟ ପୁସ୍ତକ, ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ଅଭିଭାବକଙ୍କ ପୁଅ/ଝିଅ ମାନଙ୍କୁ ଆର୍ଥିକ ସହାୟତା ବ୍ୟବସ୍ଥା, ହଷ୍ଟେଲ ବ୍ୟବସ୍ଥା, ଗ୍ରୀନ୍ ପ୍ୟାସେଜ୍ (ଅଫାନ୍) ପିଲାମାନଙ୍କୁ ବାର୍ଷିକ ୨୦ହଜାର ଟଙ୍କାର ସହାୟତା ରାଶି ବ୍ୟବସ୍ଥା ସହିତ ନାମଲେଖା ମାଗଣା, କାଳିଆ ଯୋଜନାରେ ସହାୟତା ପାଇଥିବା ଅଭିଭାବକଙ୍କ ପୁଅ/ଝିଅ ମାନଙ୍କୁ ୧୮ହଜାର ଟଙ୍କାର ସହାୟତା ରାଶି ବ୍ୟବସ୍ଥା ଇତ୍ୟାଦି ରହିଛି ।
ଉକ୍ତ ବୈଠକରେ ଜିଲ୍ଲା ନିୟୋଜନ ଅଧିକାରୀ ପୁରୁଷୋଭୂମ ମହାପାତ୍ର, ଅଧ୍ୟକ୍ଷ, ପଲିଟେକ୍‌ନିକ୍, ଫୁଲବାଣୀ ଶ୍ରୀକାନ୍ତ ସାହୁ, ଅଧ୍ୟକ୍ଷ, ସରକାରୀ ଆଇଟିଆଇ, ଫୁଲବାଣୀ ପ୍ରକାଶ ଚନ୍ଦ୍ର ସେଠୀ, ଅଧ୍ୟକ୍ଷ, ସରକାରୀ ଆଇଟିଆଇ, କୋଟଗଡ଼ ଓ ଦାରିଙ୍ଗବାଡ଼ି ପ୍ରଦୀପ କୁମାର ସାହୁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.