ତିନି-ଚାରି ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି

add-all

ଭୁବନେଶ୍ୱର : ରଜ ପାଖେଇ ଆସୁଥିବା ବେଳେ ମୌସୁମୀ ବାୟୁ ଓଡ଼ିଶା ଆସି ନାହିଁ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି। ଏଭଳି ସ୍ଥିତିରେ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଆହୁରି କଷ୍ଟଦାୟକ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ତିନି/ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହରୁ ଭୀଷଣ ଗ୍ରୀଷ୍ମପ୍ରବାହି ଲାଗି ରହିବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି।

ରାଜ୍ୟର ଅନେକ ଅଞ୍ଚଳରେ ଏବେ ସ୍ୱାଭାବିକ ଠାରୁ ଢେର ଅଧିକ ଗ୍ରୀଷ୍ମପ୍ରବାହ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ପ୍ରମାଣିତ ହେଉଛି। ଏହି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ୫.୫ ଡିଗ୍ରୀ ସେଲସିୟସରୁ ୮.୮ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା।

ଭବାନୀପାଟଣାରେ ଗତ ୨୪ ଘଣ୍ଟାରେ ସ୍ୱାଭାବିକ ଠାରୁ ୫.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୫.୫, ସୁନ୍ଦରଗଡ଼ରେ ୫.୯ ଓ କୋରାପୁଟରେ ୬ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା।

ସେହିପରି ସମ୍ବଲପୁରରେ ଗତ ୨୪ ଘଣ୍ଟାରେ ତାପମାତ୍ରା ସ୍ୱାଭାବିକ ଠାରୁ ୬.୫ ଡିଗ୍ରୀ ଅଧିକ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୬.୬, ବାଲାଙ୍ଗୀରରେ ୬.୯, କେନ୍ଦୁଝରରେ ୭.୧, ହୀରାକୁଦରେ ୭.୨ ଓ ଫୁଲବାଣୀରେ ସ୍ୱାଭାବିକ ଠାରୁ ୮.୮ ଡିଗ୍ରୀ ଅଧିକ ତାପାମାତ୍ରା ରେକର୍ଡ କରାଯାଇଥିଲା।

ଗତକାଲି ରାଜ୍ୟର ୨୦ଟି ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର, ହୀରାକୁଦ ଓ ସୁନ୍ଦରଗଡ଼ର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା। ସେହିପରି ଭବାନୀପାଟଣା, ଟିଟିଲାଗଡ଼ ଓ ରାଉରକେଲାର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା।

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୧.୮ ଡିଗ୍ରୀ ଛୁଇଁ ସାରିଛି। ସେହିପରି ଏହି ସମୟ ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୮.୨, ସମ୍ବଲପୁରରେ ୩୭.୬, ବାଲେଶ୍ୱରରେ ୩୭.୨, ଚାନ୍ଦବାଲିରେ ୩୭, ହୀରାକୁଦରେ ୩୬.୪, ପୁରୀରେ ୩୬, ଗୋପାଳପୁରରେ ୩୫.୪ ଓ ପାରାଦୀପରେ ୩୪ ଡିଗ୍ରୀ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.