
ଫୁଲବାଣୀ : ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମାଆ ନାରାୟଣୀଙ୍କ ସଭଗୃହରେ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମ ଏସର ପ୍ରତିଷ୍ଠା ହୋଇଥିଲା। ଲୋକମାନ୍ୟ ବାଲଗଙ୍ଗା ଧର ତିଳକଙ୍କ ଜନ୍ମ ଦିନରେ ବିଏମ ଏସର ପ୍ରତିଷ୍ଠା କରାଯାଇଥିଲା। ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୈତିକ ଦଳରୁ ଉର୍ଦ୍ଧ୍ବରେ ରହି ଏହି ସଂଗଠନ ସମଭାବାପନ୍ନ ବ୍ୟକ୍ତିଙ୍କୁ ନେଇ ଗଠନ କରାଯାଇଛି। ଦନ୍ତପନ୍ତ ଠେଙ୍ଗଡ ୧୯୨୦ ମସିହା ନଭେମ୍ବର ୧୦ତାରିଖରେ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଜନ୍ମ ଗହଣ କରିଥିଲେ ଓ ୨୦୦୪ଅକ୍ଟୋବର ୧୦ ତାରିଖରେ ମହାନ ବ୍ୟକ୍ତିଙ୍କ ମହାପ୍ରୟାଣ ହୋଇଥିଲା।ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ନୁହେଁ ଅନ୍ୟମାନଙ୍କ ଭଳି ସୁଖ ସ୍ୱାଛାନ୍ଦ୍ୟରେ ବଞ୍ଚିବା ଭଳି ମଜୁରୀ ଦେବାକୁ ବିଏମ ଏସ ଦାବୀ କରିବା ସହ ଆଉଟ ସୋର୍ସିଂ ଓ ଠିକାଦାର ପ୍ରଥା ଉଛେଦ ପାଇଁ ଲଢେ଼ଇ କରିଆସୁଛି। ଆଜିର ପ୍ରତିଷ୍ଠା ଦିବସରେ ବିଏମ ଏସର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ ପାତ୍ର ଏହି ଅବସରରେ ବକ୍ତା ଭାବେ ଯୋଗଦେଇ ବିଏମ ଏସ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କନ୍ଧମାଳ ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମନୀତି ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ଚାଳକ ରମେଶ ସାହୁ, କନ୍ଧମାଳ ମିଡିଆ ଫୋରମର ସଭାପତି ସନ୍ତୋଷ କୁମାର ଦିଗାଲ, ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କ ସମସ୍ୟାସହିତ ଗଣମାଧ୍ୟମ ସବୁବେଳେ ରହିଛି ବୋଲି କହିଥିଲେ।ଏହି ଅବସର ରେ ଶ୍ରମିକ ନେତା ବିନୋଦ ନାୟକ, ରବୀନ୍ଦ୍ର ବେହେରା ଓ ବ୍ରହ୍ମାନନ୍ଦ ବେହେରା ପ୍ରମୁଖଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ଓ ବୈଦ୍ୟନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।