ନିଖୋଜ ମହିଳାଙ୍କ ଗଳିତ ମୃତଦେହ ପାହାଡ଼ରୁ ଉଦ୍ଧାର…

add-all

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୂଙ୍ଗିଯୋଡି ପଞ୍ଚାୟତ ଅଡାସରୁ ପାହାଡ଼ର ଏକ ଭାଲିଆ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗଛରେ କେବଳ ହାଡ଼ କଙ୍କାଳ ଝୁଲି ରହିଛି। ମହିଳାଙ୍କ ମୃତ୍ୟୁ କିଛିଦିନ ବିତି ଯାଇଥ‌ିବା ଅନୁମାନ କରାଯାଉଛି। ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଗଳିତ ଶବ ଉଦ୍ଧାର କରିଛନ୍ତି। ମହିଳା ଜଣକ ହେଲେ ବୋରିକିଆ ଗ୍ରାମର ଶାନ୍ତିଲତା ଦିଗାଲ। ସୂଚନା ଅନୁସାରେ ଜୁକିରାହା ଗାଁର ଆଲୋକ ଦିଗାଲ ପ୍ରାୟ ଦୁଇ ବର୍ଷ ତଳେ ବାଲିଗୁଡା ଥାନା ମିଡ଼ିଆକିଆ ପଞ୍ଚାୟତର ବୋରିକିଆ ଗ୍ରାମର ଶାନ୍ତିଲତାଙ୍କୁ ବିବାହ କରିଥିଲେ । କୌଣସି କାରଣକୁ ନେଇ ପରିବାରରେ କଳହ ଯୋଗୁଁ ଗତ ୨୪ ତାରିଖରେ ଶାନ୍ତିଲତା ଘରୁ କେଉଁ ଆଡେ ଚାଲି ଯାଇଥିଲେ । ପରେ ପରିବାର ତରଫରୁ ଖୋଜା ଖୋଜି କରାଯାଇଥିଲେ ବି ସେ ମିଳି ନଥିଲେ । ଏହି ଘଟଣାକୁ ନେଇ ଶାନ୍ତିଲତାଙ୍କ ବାପା ଉମା ଚରଣ ଦିଗାଲ ବାଲିଗୁଡା ଥାନାରେ ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।
ସେହିପରି ଫିରିଙ୍ଗିଆ ଥାନାରେ ମଧ୍ୟ ଶାନ୍ତିଲତା
ନିଖୋଜ ଥ‌ିବା ନେଇ ଲିଖିତ ଅଭିଯୋଗ ହୋଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ମଙ୍ଗଳବାର ସକାଳେ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ଜଣେ ବ୍ୟକ୍ତି ଭାଲିଆ ଗଛରେ ହାଡ଼ କଙ୍କାଳ ଝୁଲୁ ଥ‌ିବା ଦେଖିବା ପରେ ପରିବାରକୁ ଜଣାଇଥିଲେ । ମୃତ ମହିଳାଙ୍କ ଦିଅର ନାଟୁ ଦିଗାଲ ଫିରିଙ୍ଗିଆ ଥାନାରେ ଜଣାଇବା ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସହ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଛାନବିନ କରିଛନ୍ତି । ଘଟଣା ସ୍ଥଳରୁ ହାଡ଼ କଙ୍କାଳ ଜବତ କରିବା ସହ ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥ‌ିବା କହିଛନ୍ତି ଥାନା ଅଧିକାରୀ। ଅପରପକ୍ଷରେ, ମୃତ ମହିଳାଙ୍କ ପରିବାର ପହଂଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଚି ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.