ଜନ ଆନ୍ଦୋଳନର କର୍ମକର୍ତ୍ତା ଓ ସମର୍ଥକଙ୍କ ବିରୁଦ୍ଧରେ ଲାଗିଥିବା ୟୁ.ଏ.ପି.ଏ. ପ୍ରତ୍ୟାହାର ସହ କୃଷ୍ଣ ସିକକାଙ୍କୁ ନିସର୍ତ୍ତ ଖଲାସ ଦାବିରେ ସାମ୍ବାଦିକ ସମ୍ମିଳନୀ

youtube

୧୬ ଅଗଷ୍ଟରେ ବିଭିନ୍ନ ଜନ ଆନ୍ଦୋଳନ ଓ ମାନବାଧିକାର ସଂଗଠନ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ଘୋଷଣା ।

ଭୁବନେଶ୍ୱର : ଗତ ଅଗଷ୍ଟ ପାଞ୍ଚ ତାରିଖ ସକାଳେ ୦୯ ଅଗଷ୍ଟ ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ହାଟରେ ନିୟମଗିରି ସୁରକ୍ଷା ସମିତିର କୃଷ୍ଣ ସିକକା ଓ ବାରି ସିକକା ବିଭିନ୍ନ ଆଦିବାସୀ ଗାଁ ର ଲୋକମାନଙ୍କୁ ଭେଟି ଖବର ଦେଉଥିବା ବେଳେ ଏକ ବୋଲେରୋ ଗାଡ଼ିରେ କିଛି ସାଧା ପୋଷାକଧାରୀ ପୋଲିସ ସେଠାରେ ହଠାତ୍ ପହଞ୍ଚି ସେମାନଙ୍କୁ ଉଠାଇ ନେଇ ଯାଇଥିଲେ। ସେମାନଙ୍କ ସହ ଯାଇଥିବା ଅନ୍ୟାନ୍ୟ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଲାଞ୍ଜିଗଡ଼ ଓ କଲ୍ୟାଣସିଂହପୁର ଥାନା ଅଧିକାରୀ ଏବଂ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ କୋୖଣସି ପ୍ରକାରର ଅପହରଣ କିମ୍ବା ଗିରଫଦାରୀକୁ ଖଣ୍ଡନ କରିଥିଲେ ।

ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ପୋଲିସ୍ କର୍ତ୍ତୃପକ୍ଷ କୋୖଣସି ଗିରଫଦାରୀକୁ ୬ ଅଗଷ୍ଟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ୱୀକାର କରିନଥିଲେ
। ପ୍ରକାଶ ଥାଉ କି ଉକ୍ତ ଦିନ ଅର୍ଥାତ୍ ୦୬ ଅଗଷ୍ଟରେ ହିଁ ସମିତିର ଦୁଇ ଯୁବ କର୍ମୀ ପଟାଙ୍ଗପଦରର କୃଷ୍ଣ ସିକକା ଓ ଲାଖପଦରର ବାରି ସିକକାଙ୍କୁ ପୁଲିସ ଉଠେଇ ନେଇଥିବା ଅଭିଯୋଗରେ ସମିତିର କର୍ମୀମାନେ କଲ୍ୟାଣସିଂପୁର ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ସେମାନଙ୍କୁ କେଉଁଠି ରଖାଯାଇଛି ବୋଲି ପ୍ରଶ୍ନ କରିଥିଲେ । ତେବେ ଉଭୟ ଯୁବକ ଅବିଳମ୍ବେ ଗାଁରେ ପହଞ୍ଚାଇବା ପାଇଁ ଦାବିକରି ଦାବିପତ୍ର ମଧ୍ୟ ଦେଇଥିଲେ । ସେପଟେ ପୋଲିସ ସନ୍ତୋଷଜନକ ଉତ୍ତର ଦେବା ପରିବର୍ତ୍ତେ, ଲୋକମାନଙ୍କୁ ଉପହାସ କରି କହିଥିଲେ ଯେ, ସେମାନେ ତ ଦିସାରୀ ବା ଗୁଣିଆ ନୁହନ୍ତି ଯେ ନିଖୋଜ ଯୁବକମାନେ କେଉଁଠି ଅଛନ୍ତି କହିପାରିବୁ ।
ଅଧିକନ୍ତୁ ଘଟଣା ଦିନ ହିଁ , ଲୋକମାନେ ଘରକୁ ଫେରିବା ସମୟରେ ସୁରକ୍ଷା ସମିତିର ଅନ୍ୟତମ ନେତା ଡ୍ରେଞ୍ଜୁ କୃସିକାଙ୍କୁ ବଳପୂର୍ବକ ଉଠାଇ ନେବା ପାଇଁ ପୋଲିସ ତାଙ୍କୁ ଟଣାଓଟରା କରିଥିଲେ । ଯଦିଓ ଲୋକମାନଙ୍କ ସମ୍ମିଳିତ ପ୍ରତିବାଦ ଫଳରେ ପୋଲିସର ଉଦ୍ୟମ ପଣ୍ଡ ହୋଇଯାଇ ଥିଲା । ବୁଦ୍ଧିଜୀବୀ ମହଲରେ ଉଠୁଥିବା ଆରୋପ ମୁତାବକ , ଏହା ଦ୍ୱାରା ପୋଲିସ ଜାଣିଶୁଣି ଏକ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାହୁଁଥିଲା, ଯେପରି କି ଦମନକୁ ଆହୁରି ତୀବ୍ରତର କରାଯାଇ ପାରିବ ଅର୍ଥାତ୍ ୦୬ ଅଗଷ୍ଟରେ ହୋଇଥିବା ଅପ୍ରିତୀକର ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଉଦ୍ଦେଶ୍ୟ ପ୍ରଣୋଦିତ।

ଉଲ୍ଳେଖଯୋଗ୍ୟ ଯେ, ଉକ୍ତ ଦିନ କଲ୍ୟାଣସିଂହପୁର ଥାନା ପକ୍ଷରୁ ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକା, ଡ୍ରେଞ୍ଜୁ କୃସିକା ଓ ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ ତଥା ନିୟମଗିରି ଆନ୍ଦୋଳନକୁ ସଂହତି ଜଣାଉଥିବା କବି ଲେନିନ୍ କୁମାରଙ୍କ ସମେତ ନଅ ଜଣଙ୍କ ବିରୁଦ୍ଧରେ ୟୁ.ଏ.ପି.ଏ ସହ ଭାରତୀୟ ଦଣ୍ତ ସଂହିତାର ବିଭିନ୍ନ ଧାରାରେ ମାମଲା ଋଜ୍ଜୁ କରାଯାଇଛି । ଏପରିକି ୦୬ ଅଗଷ୍ଟ ଦିନ କଲ୍ୟାଣସିଂହପୁର ଥାନା ସମ୍ମୁଖରେ ଆୟୋଜିତ ପ୍ରତିବାଦରେ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍ ଅନୁପସ୍ଥିତ ଥିବା ସତ୍ତ୍ବେ ତାଙ୍କ ନାମରେ ମଧ୍ୟ ମାମଲା ରୁଜ୍ଜୁ କରାଯାଇଛି ! ତେବେ ସବୁଠାରୁ ରୋଚକ ତଥା ଆଶ୍ଚର୍ଯ୍ୟ ଓ ଉଦ୍‌ବିଗ୍ନ ଯେ, ୟୁ.ଏ.ପି.ଏ. ଭଳି ଏକ ଆଇନ, ଯାହା ସାଧାରଣତଃ ବିଚ୍ଛିନ୍ନତାବାଦୀ, ଆତଙ୍କବାଦୀ, ଦେଶର ଅଖଣ୍ତତା ଓ ସାର୍ବଭୌମ ପ୍ରତି ଆଞ୍ଚ ଆଣୁଥିବା ଶକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ, ତାହା ଜନ ଆନ୍ଦୋଳନର କର୍ମୀମାନଙ୍କ ଉପରେ ପ୍ରୟୋଗ କରାଯାଇଛି । ଯାହା କି କେବଳ ବେଆଇନ ନୁହେଁ, ଅସାମ୍ୱିଧାନିକ ଓ ଅଗଣତାନ୍ତ୍ରିକ ମଧ୍ୟ । ଗତ ଦୁଇ ଦଶନ୍ଧି ଧରି ନିୟମଗିରି ପର୍ବତରୁ ବେଦାନ୍ତ ଓ ଅନ୍ୟ କମ୍ପାନୀ ମାନଙ୍କର ବକ୍‌ସାଇଟ ଖଣି ଖନନକୁ ବିରୋଧ କରି ଆସୁଥିବା ନିୟମଗିରି ସୁରକ୍ଷା ସମିତି ନେତୃତ୍ବରେ ଐତିହାସିକ ଜନ ଆନ୍ଦୋଳନ, ସ୍ଥାନୀୟ ବାସିନ୍ଦା, ବିଶେଷ କରି ଡଙ୍ଗରିଆ କନ୍ଧ ସମୁଦାୟଙ୍କ ପ୍ରତିବାଦର ସ୍ୱରକୁ ଚାପି ଦେବା ପାଇଁ ଏହା ପୁଲିସ ଓ ପ୍ରଶାସନର ସଦ୍ୟତମ ଉଦ୍ୟମ ମାତ୍ର । ଗ୍ରାମସଭାର ଅଧିକାରକୁ ସ୍ୱୀକୃତି ଦେଇ ୨୦୧୩ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟକୁ ଅକାମୀ କରିବା ପାଇଁଁ ବେଦାନ୍ତ କମ୍ପାନୀ ଓ ରାଜ୍ୟ ସରକାରଙ୍କ ମିଳିତ ଷଢଯନ୍ତ୍ରର ଏକ ଅଂଶ ଭାବରେ ଏହାକୁ ବିବେଚନା କରାଯାଇପାରେ । ଆଦିବାସୀ ମାନଙ୍କ ପ୍ରତି ଐତିହାସିକ ଅନ୍ୟାୟର ପ୍ରତିକାର ପାଇଁ ଆସିଥିବା ଜଙ୍ଗଲ ଅଧିକାର ଆଇନ-୨୦୦୬ କୁ ଅକାମୀ କରିବା ଦିଗରେ କେନ୍ଦ୍ର ସରକାର ବିଭିନ୍ନ ନୀତି, ଅଧ୍ୟାଦେଶ ଓ ସଂଶୋଧନ ଲାଗୁ କରିଚାଲିଛନ୍ତି। ବିଶେଷ କରି ଚଳିତ ପାର୍ଲ୍ୟାମେଣ୍ଟ ଅଧିବେଶନରେ ଗ୍ରାମସଭାର ଅଧିକାରକୁ ଛଡ଼ାଇ ନେଇ ଜଙ୍ଗଲ ଓ ଜମିକୁ କର୍ପୋରେଟ ହାତରେ ସମର୍ପଣ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆଗତ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩କୁ ବିଜେଡ଼ିର ଅକୁଣ୍ଠ ସମର୍ଥନ ଦ୍ଵାରା ଆଇନରେ ପରିଣତ ହେବା ଘଟଣା ଏହି ଦମନ ଓ ମିଥ୍ୟା ମକଦ୍ଦମାର ଏକ ଅଂଶ ବିଶେଷ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

ଇତି ମଧ୍ୟରେ, କୃଷ୍ଣ ସିକକା ଓ ବାରି ସିକକାଙ୍କୁ ହାଜର କରାଇବା ଲାଗି ଓଡ଼ିଶା ହାଇକୋର୍ଟରେ ହେବିୟସ୍ କର୍ପସ ଯାଚିକା ଦାୟର ହେବା ଫଳରେ ବାରି ସିକକାଙ୍କୁ ଅଗଷ୍ଟ ୮ ତାରିଖ ସକାଳେ ତାଙ୍କ ଗାଁରେ ପୁଲିସ ପହଞ୍ଚେଇ ଦେଇଥିବା ବେଳେ, କୃଷ୍ଣ ସିକକାଙ୍କୁ ୨୦୧୮ ମସିହାରେ ଧର୍ଷଣ ଅଭିଯୋଗରେ ଦାୟର ହୋଇଥିବା ଏକ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଠାରେ ସ୍ୱଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ଗତ ପାଞ୍ଚ ବର୍ଷ ଭିତରେ ପୁଲିସ କଣ କୃଷ୍ଣ ସିକକାଙ୍କୁ ପାଇ ନଥିଲା? ସମିତିର ଜଣେ ଆଗୁଆ ଯୁବ କର୍ମୀ ଭାବେ କୃଷ୍ଣ ସଭା ସମିତିରେ ପ୍ରକାଶ୍ୟରେ ଭାଗ ନେଉଥିଲେ, ବିଭିନ୍ନ ସ୍ଥାନଙ୍କୁ ମଧ୍ୟ ଯିବା ଆସିବା କରୁଥିଲେ । ପୁଲିସର କାର୍ଯ୍ୟ ଯେ ସମ୍ପୂର୍ଣ୍ଣ ଭାବେ ଆକ୍ରୋଶମୂଳକ ତାହା ସମ୍ପୂର୍ଣ୍ଣ ଘଟଣାର ପୃଷ୍ଠଭୂମି ହିଁ ବ୍ୟକ୍ତ କରୁଛି ।
ସବୁଠୁଁ ଗୁରତ୍ଵପୂର୍ଣ୍ଣ କଥା ହେଉଛି , ଗୋଟିଏ ଗଣତାନ୍ତ୍ରିକ ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ନାଗରିକମାନଙ୍କର ଏକ ସାମ୍ୱିଧାନିକ ଅଧିକାର । ପୁଲିସ ଦୁଇ ଯୁବକଙ୍କୁ ଉଠେଇ ନେଇଥିବା ଅଭିଯୋଗରେ ଲୋକମାନେ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ । କୌଣସି ଦୃଷ୍ଟିରୁ, ଏପରିକି ଆଇନ ଦୃଷ୍ଟିରୁ ବି, ଏହା ବିଚ୍ଛନ୍ନତାବାଦୀ ବା ଦେଶର ଅଖଣ୍ଡତାକୁ ନଷ୍ଟ କରିବା ଭଳି କାର୍ଯ୍ୟ ନୁହେଁ । ଅତଏବ, ୟୁ.ଏ.ପି.ଏ. ଭଳି ଏକ ନିର୍ମମ ଓ ବର୍ବର ଆଇନକୁ ପ୍ରୟୋଗ କରିବାର ଅର୍ଥ ଲୋକମାନଙ୍କୁ କେବଳ ଦମନ କରି ବେଦାନ୍ତ କମ୍ପାନୀର ଲୁଟ୍ ପାଇଁ ସମସ୍ତ ରାସ୍ତା ଖୋଲିଦେବା ଭଳି ସନ୍ଧିକୁ ଉନ୍ମୋଚନ କରୁଥିବା ଆରୋପ ଉଠା ଯାଇଛି ।

ଉପରୋକ୍ତ ବିଷୟ ଗୁଡ଼ିକୁ ଧ୍ୟାନ ଦେଇ , ନିୟମଗିରି ସୁରକ୍ଷା ସମିତିର କର୍ମକର୍ତ୍ତା ଓ ଆନ୍ଦୋଳନର ସମର୍ଥକ ମାନଙ୍କ ନାମରେ ରୁଜ୍ଜୁ ହୋଇଥିବା ମନଗଢା, ଆକ୍ରୋଶମୂଳକ ତଥା ମିଥ୍ୟା ମାମଲା ପ୍ରତ୍ୟାହାର ସହ କୃଷ୍ଣ ସିକକାଙ୍କୁ ନିସର୍ତ୍ତରେ ଖଲାସ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍, ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ଆବାହକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.