ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ‘ପ୍ରବେଶ ଉତ୍ସବ’ ପାଳିତ

add-all

ଭୁବନେଶ୍ବର: ସାମ୍ବାଦିକଙ୍କ ଦେଶ ତଥା ଜାତି ପ୍ରତି ଗୁରୁ ଦାୟିତ୍ୱ ରହିଛି। ସେମାନଙ୍କ ଲେଖନୀ ଚାଳନା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ଯାହା ଏକ ବିରାଟ ପାଠକଗୋଷ୍ଠୀର ବିଚାର ଓ ଆଲୋଚନାର ଭିତରକୁ ଆସିଥାଏ। ଗଣମାଧ୍ୟମ ଅସହାୟ ଲୋକଙ୍କ ସ୍ୱର ସାଜିବା ଦରକାର। ସାମ୍ବାଦିକତା ପୃଥିବୀରେ ନୂତନ ବିଜ୍ଞାନ, ଏଥିପାଇଁ ପ୍ରଶିକ୍ଷଣ ଜରୁରୀ। ଉପଯୁକ୍ତ ପ୍ରଶିକ୍ଷଣ ନେଇ ସାମ୍ବାଦିକମାନେ ନିଜର ଶକ୍ତି ଓ ସାମର୍ଥ୍ୟକୁ ରାଷ୍ଟ୍ର ବିକାଶରେ ନିୟୋଜିତ କରିବା ଆବଶ୍ୟକ ବୋଲି ବହୁ ବିଶିଷ୍ଟ ବକ୍ତା ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ପକ୍ଷରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ନାମଲେଖାଇଥିବା ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ‘ପ୍ରବେଶ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ‘ପ୍ରବେଶ ଉତ୍ସବ’କୁ ଉଦଘାଟନ କରି ପ୍ରଫେସର ପ୍ରତାପ ଆଦିତ୍ୟ ମିଶ୍ର କହିଛନ୍ତି ଯେ ସ୍ୱାଧିନତା ଆନ୍ଦୋଳନରେ ଖବରକାଗଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସାମ୍ବାଦିକତା ହେଉଛି ମିଥ୍ୟା ଉପରେ ସତ୍ୟର ଜୟ ଓ ନିର୍ଭିକ ଭାବେ ସତ୍ୟକୁ ଉପସ୍ଥାପନ କରିବାର କଳା। ଭୟ କିମ୍ବା ଅନୁଗ୍ରହ ବିନା ସାମ୍ବାଦିକତା ବୃତ୍ତି ହିଁ ସଫଳତା ଆଣିଦେଇଥାଏ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

‘ଓଟିଭି’ର ବରିଷ୍ଠ ଉପସ୍ଥାପକ ତଥା ସହଯୋଗୀ ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର କହିଛନ୍ତି ଯେ ସାମ୍ବାଦିକଙ୍କ କାର୍ୟ୍ୟ ଓ କର୍ତ୍ତବ୍ୟ ସମାଜର ବିକାଶ ଉପରେ ପର୍ୟ୍ୟବସିତ, ଯାହା ସାଧାରଣ ଲୋକଙ୍କ ଲାଗି ଉଦ୍ଧିଷ୍ଟ। ସମାଜ ତଥା ଲୋକଙ୍କୁ ଜାଗ୍ରତ କରିବାରେ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର୍ୟ୍ୟକ୍ରମରେ ଯୋଗଦେଇ କଥାକାର ଡ.ଗୌରହରି ଦାସ କହିଛନ୍ତି ଯେ ଏବେ ଗଣମାଧ୍ୟମ ରାଜନୈତିକ ଶକ୍ତି ପ୍ରଦର୍ଶନ ପାଇଁ ଏକ ମାଧ୍ୟମ ପାଲଟିଛି। ଯାହା ସାମ୍ବାଦିକମାନଙ୍କ ସତ୍ୟ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଖବର ପରିବେଷଣକୁ ପ୍ରଭାବିତ କରୁଛି। ଏବେ ସାମ୍ବାଦିକତା ପୃଥିବୀରେ ନୂତନ ବିଜ୍ଞାନ ଭାବେ ପରିଗଣିତ, ଯେଉଁଥିରେ ସର୍ଜନଶୀଳ ଆଲେଖ୍ୟକୁ ଗୁରୁତ୍ୱ ଦିଆଯାଇଛି। ଯାହାର ଚାହିଦା ଗଣମାଧ୍ୟମ ଶିଳ୍ପରେ ସବୁବେଳେ ରହିଛି ବୋଲି ଡ. ଦାସ କହିଛନ୍ତି। ପୂର୍ବତନ ଉଚ୍ଚ ଶିକ୍ଷା ସଚିବ ଡ. ପାର୍ଥ ସାରଥୀ ମିଶ୍ର କହିଛନ୍ତି ଯେ ମୁଦ୍ରିତ, ବୈଦ୍ୟୁତିକ ଏବଂ ଡିଜିଟାଲ ମିଡ଼ିଆର ଶିଳ୍ପର ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ଦରକାର। ଫଳରେ ସେମାନେ ଗଣମାଧ୍ୟମରେ ନିଜର ସର୍ଜନଶୀଳ ପ୍ରତିଭା ପ୍ରଦର୍ଶନ କରିପାରିବେ ଏବଂ ସମସ୍ତ ଆହ୍ୱାନକୁ ସହଜରେ ମୁକାବିଲା ପାଇଁ ଦକ୍ଷତା ହାସଲ କରିପାରିବେ ବୋଲି ପ୍ରକାଶ କରିଛନ୍ତି।

‘ଟାଇମ୍ସ ଅଫ ଇଣ୍ଡିଆ’ର ବ୍ୟୁରୋ ଚିଫ ଅଶୋକ କୁମାର ପ୍ରଧାନ କହିଛନ୍ତି ଯେ ନୂତନ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣଦେଲାବେଳେ ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ ଗୁରୁଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ ରହିଛି, ସେମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଉତ୍କୃଷ୍ଟମାନର ପାଠ୍ୟପୁସ୍ତକ ପ୍ରକାଶନ ଜରୁରୀ। ଫଳରେ ସେମାନେ ଲୋକଙ୍କୁ ସୂଚନା ତଥା ଜ୍ଞାନ ଦେବା ପାଇଁ ଗଣମାଧ୍ୟମର ଶକ୍ତିକୁ ସଠିକ ଭାବେ ଉପଯୋଗ କରିପାରିବେ। ଲୋକ ପ୍ରଶାସନ ବିଭାଗ ମୁଖ୍ୟ ତଥା ସାମ୍ବାଦିକତା ଓ ଗଣଯୋଗାଯୋଗ ସଂଯୋଜିକା ଡ. ପ୍ରତିମା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପ୍ରଫେସର ପଦ୍ମାଳୟା ମହାପାତ୍ର ଓ ସହକାରୀ ପ୍ରଫେସର ଡ.ଜ୍ୟୋତିର୍ମୟୀ ଟୁଡୁ ବକ୍ତବ୍ୟ ରଖିଥିଲେ। ସହକାରୀ ପ୍ରଫେସର ଡ.ହେମନ୍ତ କୁମାର ଦାଶ ସ୍ବାଗତ ଅଭିଭାଷଣ ରଖିଥିବାବେଳେ ଡ.ରମାକାନ୍ତ ମହାନନ୍ଦ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କ ‘ପ୍ରବେଶ ଉତ୍ସବ’ ପାଳନ ଅବସରରେ ଲୋକ ପ୍ରଶାସନ ବିଭାଗ ପରିସରରେ ଚାରାରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ad-week
Leave A Reply

Your email address will not be published.