ବାରମ୍ବାର ଲଗାଣ ବର୍ଷା ଯୋଗୁ ବିପଦ ସାଜିଛି ଦାସିଙ୍ଗବାଡ଼ି, ଶ୍ରାନିକେତା ଘାଟି : ଭୂସ୍ଖଳନ ହେବା ଭୟରେ ଲୋକେ ଆତଙ୍କିତ…

add-all


ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ଘାଟି ରାସ୍ତା ଏବେ ବିପଦପୂର୍ଣ୍ଣ ହୋଇଛି। ବାରମ୍ବାର ବର୍ଷା ଯୋଗୁ ଚଳିତବର୍ଷ ଶ୍ରାନିକେତାର ଜାତୀୟ ରାଜପଥ ଘାଟି ରାସ୍ତାରେ ଭୂସ୍ଖଳନ ହେବା ଭୟ ଲୋକଙ୍କୁ ଆତଙ୍କିତ କରୁଛି। ଚଳିତବର୍ଷ ଉକ୍ତ ଘାଟିରେ ଏକାଧିକ ପାଇନ ଗଛ ଉପୁଡ଼ିବା ସହ ବଡ଼ ବଡ଼ ପଥର ପଡ଼ିଥିବା ନଜିର ରହିଥିବା ବେଳେ ଏବେ ମଧ୍ୟ ଅନେକ ପାଇନ ଗଛର ଚେରରେ ଅଳ୍ପ ମାଟି ଲାଗି ରହିଥିବାରୁ ସେହି ରାସ୍ତା ଦେଇ ଲୋକେ ଯାତାୟାତ କରିବାକୁ ଭୟ କରୁଛନ୍ତି। ରାଜପଥ ସମ୍ପ୍ରସାରଣ ପରେ ଗାର୍ଡଓାଲ ନିର୍ମାଣରେ ତ୍ରୁଟି ଯୋଗୁ ଏହି ବିପଦ ବୃଦ୍ଧି ପାଇଛି । ଏବେ ଉକ୍ତ ପାଇନ ବୃକ୍ଷର ସୁରକ୍ଷା ସହ ମୃତ୍ତିକ ସଂରକ୍ଷଣ ପାଇଁ ଜାତୀୟ ରାଜପଥ ବିଭାଗ ସହ ଆଲୋଚନା କରାଯାଇଛି। ତୁରନ୍ତ ପଦକ୍ଷେପ ନେବାକୁ ପ୍ରୟାସ କରାଯାଉଛି ବୋଲି ବାଲିଗୁଡ଼ା ଉପଖଣ୍ଡ ଏସିଏଫ୍‌ ସତିଶ କୁମାର ଧାରୁଆ କହିଛନ୍ତି। ସେ କହିଛନ୍ତି ଯେ, ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିରେ ଥିବା ୩ ପ୍ରକାର ପାଇନ୍‌ ବୃକ୍ଷକୁ ପସନ୍ଦ କରିନ୍ତି ତେଣୁ ଏହାର ସୁରକ୍ଷା ପ୍ରତି ଦେଉଛୁ ବୋଲି କହିଛନ୍ତି। ସେହିପରି ଦାରିଙ୍ଗବାଡ଼ିଠାରୁ ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଉକ୍ତ ରାସ୍ତାର ପାଙ୍ଗାଲି ଠାରୁ ଦାସିଙ୍ଗବାଡ଼ି ମଝିରେ ରହିଥିବା ଅଙ୍କାବଙ୍କା ରାସ୍ତା ସମ୍ପ୍ରସାରଣ କରାଯାଇଥିଲେ ସୁଦ୍ଧା ଉକ୍ତ ଘାଟି ଉପରେ ଯେଉଁଠି ପର୍ଯ୍ୟଟକମାନେ ପାହାଡ଼ ଉପରେ ଠିଆହୋଇ ଘାଟିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଏବେ ସେହି ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହେବା ସହ ଭୂସ୍ଖଳନ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ହେଲେ ଉକ୍ତ ଘାଟି ରାସ୍ତା ଭୂସ୍ଖଳନ ହୋଇପାରେ ବୋଲି ଅଞ୍ଚଳବାସୀ ଏବଂ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକମାନେ ଆଶଙ୍କା କରିଛନ୍ତି। ଉକ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇନାହିଁ, ଶୀଘ୍ର ଗାର୍ଡୱାଲ କରାଯାଇ ବିପଦମୁକ୍ତ କରାଯିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସ୍ବାଇଁ କହିଛନ୍ତି।

ad-week
Leave A Reply

Your email address will not be published.