
ହିଞ୍ଜିଳିକାଟୁ, (୨୭/୯): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଣଅନୁଦାନ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ଦାବୀ ପୂରଣ ନେଇ ଗତ ୧୫ ତାରିଖରୁ ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଗତ ୨୦୦୦ ମସିହାରୁ ୨୭ ଜଣ ଅଣଶିକ୍ଷା କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର କାର୍ଯ୍ୟ ସମେତ ବିଭିନ୍ନ ସମୟରେ ନିର୍ବାଚନ ଓ ସାମାଜିକ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି । ସଂପୃକ୍ତ କର୍ମଚାରୀ ମାଦେ ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ପ୍ରଦତ୍ତ ସ୍ୱଳ୍ପ ବେତନରେ କାର୍ଯ୍ୟ ସମ୍ପାଦନା କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ଇତି ମଧ୍ୟରେ ମହାବିଦ୍ୟାଳୟରେ କାର୍ଯ୍ୟରତ ଜଗନ୍ନାଥ ପଣ୍ଡିତ ନାମକ ଜୈନିକ ୪ର୍ଥ ଶ୍ରେଣୀ କର୍ମଚାରୀ ଅନୁଦାନର ବଞ୍ଚିତ ହେବା ସହ ଆର୍ଥୀକ ଅଭାବରୁ ଉପଯୁକ୍ତ ଚିକିତ୍ସା ପାଇନପାରି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨୦୧୪ ମସିହା ଗ୍ରାଣ୍ଟ ଇନ ଏଡ୍ ଅନୁଯାୟୀ ବାଦ୍ ପଡିଥିବା ସମସ୍ତ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଏବଂ ଗ୍ରାଣ୍ଟ ଇନ୍ ପ୍ରଦାନ ଭଳି ୨ଦଫା ଦାବି ନେଇ ଏକ ସ୍ମାରକ ପତ୍ର ଗତ ମାସ ୨୯ରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ, ଆଞ୍ଚଳିକ ନିର୍ଦ୍ଦେଶକ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଭାରପ୍ରାପ୍ତ ଅଧିକାରୀ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ । ଦାବି ପୂରଣ ନହେଲେ ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଦାବି ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଚଳିତ ମାସ ୧୫ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦୀର୍ଘ ୧୩ ଦିନ ଧରି ସଂପୃକ୍ତ ଅଣଅନୁଦାନ କର୍ମଚାରୀ ମାନେ ଆନ୍ଦୋଳନରେ ସାମିଲ ଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିପାରିନାହିଁ। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ସାବିତ୍ରୀ ନାଇକ, ଅମୂଲ୍ୟ ଦାସ, ଜିତେନ୍ଦ୍ର ପଣ୍ଡା, ଲଳିତ ମହାନ୍ତି, ଅରୁଣ ପାତ୍ର, କପିଳ ନାହାକ, ନନ୍ଦ କିଶୋର ପ୍ରଧାନ ପ୍ରମୁଖ ମହାବିଦ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିଛନ୍ତି ।