ଦାରିଙ୍ଗବାଡ଼ି , ୨/୧୦ : ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଚାରିଛକ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡି ସ୍ଥିତ ଯାତ୍ରୀ ବିଶ୍ରାମଗାର ଏବଂ ହନୁମାନ ମନ୍ଦିରର ଶିଳାନ୍ୟାସ କରିଥିଲେ। ଏଥିରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଦାରିଙ୍ଗବାଡ଼ି ଜାତୀୟ ଦିବସ ପାଳନ କିମିଟି ଅଧ୍ୟକ୍ଷ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କ ଅଧକ୍ଷତାରେ ବ୍ଲକ ସଭା ଗୃହ ଠାରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଗଦାଧର ପାତ୍ର , ଅନ୍ୟତମ ସମ୍ମାନିତ ଅତିଥି ଭାବେ ତହସିଲଦାର ଶରତ ଶବର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର , ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ମଞ୍ଚରେ ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ତଥା ବାପୁଜି ସାରା ଦେଶକୁ ସତ୍ୟ ଏବଂ ଅହିଂସା ର ମାର୍ଗ ଦେଖାଇଛନ୍ତି ବୋଲି ନିଜ ନିଜର ବକ୍ତବ୍ୟ ରଖିବା ସହିତ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବ୍ଲକ ଅଞ୍ଚଳର ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମକୁ ସିମନବାଡ଼ି ସ୍କୁଲର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
