
ଭୁବନେଶ୍ବର: ସମ୍ପ୍ରତି ବିଜ୍ଞାନ ଆମ ଦୈନନ୍ଦିନ ଜୀବନ ପ୍ରବାହରେ ଅବିଛିନ୍ନ ଅଙ୍ଗ ହୋଇଛି ଏବଂ ବିଜ୍ଞାନର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ। ରାଷ୍ଟ୍ରୀୟ ପ୍ରଗତି ପାଇଁ ଅନ୍ଧବିଶ୍ୱାସ ଦୂରୀକରଣ ସହିତ ବୈଜ୍ଞାନିକ ଚେତନା ସୃଷ୍ଟି ପାଇଁ ଦେଶବ୍ୟାପୀ ଉଦ୍ୟମ କରିବା ଆବଶ୍ୟକ। ବୈଜ୍ଞାନିକ ମନୋବୃତି ନେଇ ଅଧ୍ୟୟନ କଲେ ସେମାନେ ଅନେକ ଜ୍ଞାନର ଅଧିକାରୀ ହୋଇପାରିବେ ଏବଂ ସେମାନଙ୍କୁ ସଫଳତା ମିଳିପାରିବ। କାର୍ଯ୍ୟ ସହ କାରଣର ସମ୍ପର୍କ ଯୋଡାଗଲେ ଆମ ଦେଶର ଛାତ୍ର ସମାଜ ପ୍ରକୃତିର ରହସ୍ୟ ଉନ୍ମୋଚନ କରିପାରିବେ ଏବଂ ବିଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବ ବୋଲି ଭାରତରେ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ପ୍ରେରଣାଦାୟୀ ଅଭିଭାଷଣ କାର୍ଯ୍ୟକ୍ରମରେ ବକ୍ତାମାନେ ମତପ୍ରକାଶ କରିଛନ୍ତି।
ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଦିଗଦର୍ଶନ ଏବଂ କୁଳସଚିବ ଡ.କାହ୍ନୁଚରଣ ଧୀରଙ୍କ ମାର୍ଗଦର୍ଶନରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଛି ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟସରକାରଙ୍କ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ସ୍ୱରୂପ ଆଜି ୟୁନିଭର୍ସିଟି ହାଇସ୍କୁଲରେ ଭାରତରେ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ପ୍ରେରଣାଦାୟୀ ଅଭିଭାଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ଚନ୍ଦ୍ର କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜ୍ଞାନ ହିଁ ବିଶ୍ୱ ପ୍ରଗତିର ମୁଖ୍ୟ ଆଧାର ପାଲଟିଛି ବୋଲି ପ୍ରକାଶ କରିଥିଲେ। ବିଜ୍ଞାନର ଅଗ୍ରଗତି, ଉପକାରିତା, ଲୋକପ୍ରିୟତା ଏବଂ ସମାଜର ବିକାଶ କ୍ଷେତ୍ରରେ ବିଜ୍ଞାନର ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ଶ୍ରୀ ଦାଶ ଆଲୋଚନା କରିଥିଲେ।
ସେହିପରି ଓଡ଼ିଆ ବକ୍ତୃତା ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପାଇଁ ବିଷ୍ଣୁପ୍ରିୟା ଓତା ଓ ପ୍ରଦୀପ କୁମାର ପଣ୍ଡା ବିଚାରକ ଭାବେ ଯୋଗଦେଇଥିଲେ। ତ୍ରିଲୋଚନା ସାମଲ ଓ ବିଦ୍ୟୁତ ଲତା ପାଟ୍ଟଶାଣୀ ଚିତ୍ରକଳା ପ୍ରତିଯୋଗିତାର ବିଚାରକ ହୋଇଥିଲେ। ଆଜିଠାରୁ ବିଶ୍ବବିଦ୍ୟାଳୟର ଅହିଂସା ସ୍ଥଳରେ ଯୋଗ ଶିବିର ଆରମ୍ଭ ହୋଇଛି। ସରୋଜକାନ୍ତ କରଙ୍କ ତତ୍ତ୍ବାବଧାନାରେ ଯୋଗ ଶିବିର ପରିଚାଳିତ ହେଉଛି। ଏହି ଯୋଗ ଶିବିର ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ।
ଉଦଘାଟନ ଉତ୍ସବରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ, ନୂଆ-ଓ ସଂଯୋଜିକା ପ୍ରଫେସର ମିତାଲି ଚିନ୍ନାରା, ସୋସିଆଲ ୱାର୍କ ଆଣ୍ଡ ଆକ୍ଟିଭିଟିଜ ସଂଯୋଜକ ଡ.ରବୀନ୍ଦ୍ର ଗରଡ଼ା, ପ୍ରଫେସର ଅସୀମ ପାଢ଼ୀ ଡ.ତନୁତୃଷ୍ଣା ପାଣିଗ୍ରାହୀ, ଡ.ବ୍ରଜସୁନ୍ଦର ମିଶ୍ର, ୟୁନିଭର୍ସିଟି ହାଇସ୍କୁଲ ପ୍ରାଧାନଶିକ୍ଷୟିତ୍ରୀ ସନ୍ଧ୍ୟା ମହାପାତ୍ର, ଡ.ସୁଜିତ କୁମାର ଆଚାର୍ଯ୍ୟ, ଡ.ହେମନ୍ତ କୁମାର ଦାଶ, ଡ.ମଞ୍ଜୁସ୍ମିତା ଦାଶ, ଡ.ତନୟା ମହାନ୍ତି, ଡ.ପରମାନନ୍ଦ ନାଏକ ପ୍ରମୁଖ ଯୋଗଦେଇଥିଲେ।
ଆସନ୍ତା ଡିସେମ୍ବର ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏହି ଅବସରରେ ସଡ଼କ ନିରାପତ୍ତା ପଥପ୍ରାନ୍ତ ନାଟକ, ନିଶାନିବାରଣ ସଚେତନତା ଅଭିଯାନ, ଫୁଟବଲ, ଭଲିବଲ, ଚେସ, ବ୍ୟାଡମିଣ୍ଟନ, କ୍ୟାରମ, ଝୋଟି, ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ ସହିତ ୧୦୦, ୨୦୦ ଓ ୪୦୦ ମିଟର ପ୍ରତିଯୋଗିତା ସାଙ୍ଗକୁ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ ଥ୍ରୋ, ଜାଭେଲିନ ଥ୍ରୋ, ଡିସକସ ଥ୍ରୋ ଓ ଟଗ ୱାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶିତ କରିପାରିବେ ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ନାକ-ଓ ସଂଯୋଜିକା ପ୍ରଫେସର ମିତାଲି ଚିନ୍ନାରା ସୂଚନା ଦେଇଛନ୍ତି।