ଦେବଗଡ : ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରେବେକା ନିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥଲେ। ଏହି ଅବସରରେ ଜାନୁୟାରୀ ୨୬ ତାରିଖ ପୂର୍ବାହ୍ନ ୪.୩୦ ମିନିଟ ସମୟରେ ରାମ ଧୁନ, ସକାଳ ୬ ଟା ସମୟରେ ପ୍ରଭାତ ଫେରି, ସକାଳ ୭.୩୦ ସମୟରେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତକା ଉତୋଳନ ଏବଂ ୮.୩୦ ମିନିଟ ସମୟରେ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ ମୂଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତକା ଉତୋଳନ କରାଯିବ। ପତକା ଉତୋଳନ ପରେ ଚତୁର୍ଥ ଆଇଆରବି ବାଟାଲିୟନ ଏବଂ ପୋଲିସ ବ୍ୟାଣ୍ଡ ଟ୍ରୁପ ଦ୍ୱାରା ଜାତିୟ ସଙ୍ଗୀତ ବାଦନ କରାଯିବ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ନେଇ ରିଜର୍ଭ ପୋଲିସ ଇନ୍ସପେକ୍ଟର ଓ କ୍ୟାପଟେନ ସଂଗ୍ରାମ ନନ୍ଦ ଏବଂ ଦେବଗଡ଼ ମହାବିଦ୍ୟାଳୟ ଏନସିସି ଅଧିକାରୀ ଜାନୁଆରୀ ୨୨,୨୩ ଓ ୨୪ ତିନି ଦିନ ଧରି ସକାଳ ୭ ଘଟିକାରେ ପ୍ୟାରେଡ ପୂର୍ବାହାସ କରାଇବେ। ପ୍ରାଥମିକ, ମଧ୍ୟଇଂରାଜୀ, ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜାନୁଆରୀ ୧୨ ତାରିଖ ଓଡ଼ିଆ ବକ୍ତୃତା ଓ ଇଂରାଜୀ ବକ୍ତୃତା,୧୩ ତାରିଖ ଓଡ଼ିଆ ଦେଶାତ୍ମକ ସଙ୍ଗୀତ ଓ ଜଣା ଅଜଣା ପ୍ରତିଯୋଗିତା, ୧୪ ତାରିଖ ରଙ୍ଗୋଲି, ଚିତ୍ରାଙ୍କନ, ଓ ଫେନ୍ସି ଡ୍ରେସ ଏବଂ ୨୦ ତାରିଖ ଦଳଗତ ଅଭିନୟ ପ୍ରତିଯୋଗିତା କରାଯାଇ ସାଧାରଣତନ୍ତ୍ର ଦିବସରେ କୃତି ପ୍ରତିଯୋଗିଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯିବ। ପ୍ୟାରେଡ ପଡ଼ିଆରେ ହେବାକୁ ଥିବା ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସାଂସ୍କୃତିକ ଦଳକୁ ମନୋନୀତ କରିବେ । ବିଭିନ୍ନ ଅନୁଷ୍ଠାନ ଓ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀ ହେବ। ଏଥିସହ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରୋଗୀ ଏବଂ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଅନ୍ତେବାସି ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବାର କାର୍ୟ୍ୟକ୍ରମ ରହିଛି। ଏହା ବ୍ୟତିତ ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟମ ନିୟନ୍ତ୍ରଣ ଦାୟିତ୍ଵ ଆରକ୍ଷୀ ଅଧିକ୍ଷକ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପଣ୍ଡା, ଜିଲ୍ଲାପରିଷଦ ମୂଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ ଓ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
