
ମାଲକାନଗିରି, ୧୩।୧ : ମାଲକାନଗିରି ଜିଲ୍ଲାର ବାଲିମେଳା ଏନ.ଏ.ସି ଅନ୍ତର୍ଗତ ମିନି ଷ୍ଟାଡିୟମଠାରେ ଆଜି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଉଦଘାଟିତ ହୋଇଯାଇଛି । ଏହାକୁ ବାଲିମେଳା ଏନ.ଏ.ସି ଅଧ୍ୟକ୍ଷ ପ୍ରଦୀପ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏନ.ଏ.ସି ଉପାଧ୍ୟକ୍ଷା ରଶ୍ମିତା ବାଙ୍କା, ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ନୋଡାଲ ଅଧିକାରୀ ରାଜେନ୍ଦ୍ର ମହାକୁର, ଏନ.ଏ.ସି ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ, କାଉନସିଲର ମନୋଜଦେବ ପାଙ୍ଗିଙ୍କ ସମେତ ସମସ୍ତ କାଉନସିଲର ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଏହାର ଲାଭ ନେବାକୁ ଆହ୍ୱାନ ଦେଇଥିଲେ । ଏ ଅବସରରେ ବିଭିନ୍ନ ଷ୍ଟଲରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତା, ବିଧବା ଭତା ସମେତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ପାରୀକ୍ଷା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ଲିଫଲେଟ ବଂଟନ କରାଯିବା ସହ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ସଚେତନତା ରଥ ଲୋକଙ୍କୁ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲା । ପରେ ବିଜ୍ଞାପିତ ଅଂଚଳ ପରିଷଦବାସୀଙ୍କୁ ବିକଶିତ ଭାରତ ପାଇଁ ସଙ୍କଳ୍ପ ଶପଥ ପାଠ କରାଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ସାଂସଦ ବଳଭଦ୍ର ମାଝି କଳାକାରଙ୍କୁ ପୁରସ୍କୃତ କରିଥିଲେ । ଏହି ସଙ୍କଳ୍ପ ଯାତ୍ରାରେ ଅଂଶ ଗ୍ରହଣ କରି ହିତାଧିକାରୀମାନେ ଖୁସି ପ୍ରକଟ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।