ଅନ୍ଧଧାର୍ମୀକତା ଓ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଫକୀର ମୋହନ ଜଣେ ଯୁଗାନ୍ତକାରୀ ସାହିତ୍ୟିକ ଥିଲେ : ପୂଜ୍ୟପୂଜା ସମିତି

add-all

ବ୍ରହ୍ମପୁର : ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲଠାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୧ତମ ଜୟନ୍ତୀ ଉପଯୁକ୍ତ ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ଓଡିଶା ନବଜାଗରଣର ଅନ୍ୟତମ ଅଭିବ୍ୟକ୍ତି ଫକୀର ମୋହନଙ୍କ ରଚିତ ଗଳ୍ପ, ଉପନ୍ୟାସ, କବିତା ଆଦି ଏହି ଉନ୍ନତ ଚିନ୍ତାଧାରା ଓ ପ୍ରଗତିଶୀଳ ସାହିତ୍ୟର ବାର୍ତ୍ତାବହ l ଆଜି ଫକୀରମୋହନଙ୍କ ସାହିତ୍ୟର ପ୍ରାୟତଃ ଏକ ଶତାବ୍ଦୀରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ସମାଜରେ ସେହି ସାମନ୍ତବାଦୀ ମନନ ଅନ୍ଧତା, କୁସଂସ୍କାର, ଅନ୍ଧଧାର୍ମୀକତା, ନାରୀ ନିର୍ଯାତନା, ମଦ୍ୟପାନ, ବାବାମାନଙ୍କ ପ୍ରତି ଆକର୍ଷଣ, ମଣିଷକୁ ପଛକୁ ଟାଣୁଛି l ଅନ୍ୟପଟେ ଏହି ଅନ୍ଧତା ଗୁଡିକୁ ସୁଚତୁର ଭାବେ ପ୍ରଚାର ମଧ୍ୟ କରାଯାଉଛି l ଶୋଷଣ, ଅତ୍ୟାଚାର ବଢ଼ି ବଢ଼ି ଚାଲିଛି ଏବଂ ସାମାଜିକ ଦାୟିତ୍ୱହୀନତା, ସ୍ୱାର୍ଥପରତା, ଆତ୍ମକୈନ୍ଦ୍ରିକତା, ଅପସଂସ୍କୃତି, ମଦମାଦକତା ଆଦି ଆଜିର ଶିକ୍ଷିତ ଯୁବ ଛାତ୍ରମାନଙ୍କୁ ଧ୍ବଂସ କରୁଛି l ଏଭଳି ଏକ ସମୟରେ ଆଜି ବି ଫକୀରମୋହନ ସାହିତ୍ୟ ଚର୍ଚ୍ଚାର ପ୍ରାସଙ୍ଗିକତା ରହିଛି l ଏହି ସାହିତ୍ୟରୁ ପ୍ରୟୋଜନୀୟ ଶିକ୍ଷା ଗ୍ରହଣ କରି ଉନ୍ନତ ନୀତିନୈତିକତା, ରୁଚିସଂସ୍କୃତି, ମୂଲ୍ୟବୋଧର ଭିତ୍ତିରେ ଶୈକ୍ଷିକ ସାଂସ୍କୃତିକ ଆନ୍ଦୋଳନ ଗଢି ତୋଳିବାର ଆବଶ୍ୟକତା ରହିଛି ବୋଲି ପୂଜ୍ୟ ପୂଜା ସମିତି ଦ୍ୱାରା ଆୟୋଜିତ ସ୍ମୃତି ସଭାରେ ମତ ପ୍ରକାଶ ପାଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଏସ. ସାମ୍ବଶିବା ରାଓ, ମାନବ ଅଧିକାର ସୁରକ୍ଷା ମଞ୍ଚର ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ, ରାମଚନ୍ଦ୍ର ସାହାଣୀ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଗୌରୀ ଶଙ୍କର ମହାନ୍ତି,ସନ୍ତୋଷ ପାତ୍ର,ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.