ହିଞ୍ଜିଳିକାଟୁରେ ଓଡ଼ିଆ ସାହିତ୍ୟ ଭାଷା ସମ୍ମିଳନୀ : ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା

add-all

ହିଞ୍ଜିଳିକାଟୁ, ୩।୧( ) : ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଇନଡୋର ଷ୍ଟାଡିୟମ ଓ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ ଓଡ଼ିଆ ସାହିତ୍ୟ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସାହିତ୍ୟିକ କବିଙ୍କୁ ସମ୍ବର୍ଦ୍ଧନା, ଆଲୋଚନା ଚକ୍ର, ଯୁବ ବାଣୀ , ସ୍କୁଲ କଲେଜ ସ୍ତରରେ ଛାତ୍ରୀ ଛାତ୍ର ଙ୍କ ପ୍ରତିଯୋଗିତା ଓ କବିତା ପାଠୋତ୍ସବ ଇତ୍ୟାଦି ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ଏହି କାର୍ଯ୍ୟକ୍ରମର ଉଦଯାପନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୃଷ୍ଣଲୀଳା ନାଟକର ବର୍ଷୀୟାନ କଳାକାର ତଥା ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପୁରସ୍କାର ବିଜେତା ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପୌର ପରିଷଦ ପକ୍ଷରୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉଦଯାପନୀ ଉତ୍ସବରେ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଦକ୍ଷିଣାଞ୍ଚଳ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷାବିତ ତଥା ଭାଷା ଗବେଷକ ଡଃ ବୃଷକେତୁ ଦାଶ, ସମ୍ମାନିତ ଅତିଥି ଭାବେ ହିଞ୍ଜିଳିକାଟୁ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ମଞ୍ଚାସୀନ ଥିଲେ। ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ଆଦି କବି ସାରଳା ଦାସ ଙ୍କ ଠାରୁ ବର୍ତ୍ତମାନର କବି ସାହିତ୍ୟିକ ଙ୍କ କୃତି ଆମର ଅମୂଲ୍ୟ ସମ୍ପଦ ଏହାକୁ ସାଇତି ରଖିବା ନିମନ୍ତେ ସବୁ ବର୍ଗରେ ସବୁ ସ୍ତରରେ ପ୍ରୟାସ ହେବା ଆବଶ୍ୟକ ବୋଲି ଅତିଥି ଓ ସାହିତ୍ୟିକ ମାନେ ମତ ପ୍ରକାଶ କରିଥିଲେ। ସଂପ୍ରତି ରାଜ୍ୟ ସରକାରଙ୍କ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଯଥାର୍ଥ ବୋଲି ମତପୋଷଣ ସହ ସରକାରଙ୍କ ଏହି ମହତ ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଛି। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁଙ୍କ କଣ୍ଠରେ କୃଷ୍ଣଲୀଳା ନାଟକର ଭଜନ ଉପସ୍ଥିତ ଶ୍ରୋତା ଓ ଦର୍ଶକଙ୍କୁ ଆକର୍ଷିତ କରିଥିଲା।
୩ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ, ପ୍ରାରମ୍ଭିକ ସଙ୍ଗୀତ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ, ସାହିତ୍ୟ ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଲୋକ ନାଟକ, ସଙ୍ଗୀତ ଇତ୍ୟାଦି ପରିବେଷଣ ହୋଇଥିଲା। ସୁନାମଧନ୍ୟ କଳା ଅନୁଷ୍ଠାନ ନୃତ୍ୟମ୍ ଓ ତ୍ରିଶକ୍ତିର ନୃତ୍ୟଶିଳ୍ପୀ ଙ୍କ ଦ୍ଵାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା। ଆମ ଭାଷା ର ସୁରକ୍ଷା ଓ ସାହିତ୍ୟର ମହତ୍ତ୍ଵ ପ୍ରଚାର ପ୍ରସାର ନିମନ୍ତେ ଏକ ଅସ୍ମିତା ରଥ ୩ ଦିନ ଧରି ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲି ଲୋକମାନଙ୍କୁ ସଚେତନ କରାଯାଇଛି। ଅବଲୁପ୍ତ ଭାଗବତ ଟୁଙ୍ଗୀ ପରମ୍ପରା ପାଇଁ ଜନ ସାଧାରଣ ଓ ଭଗବତ ପ୍ରେମୀ ଙ୍କୁ ଆହ୍ବାନ ହୋଇଛି।ସହରର ଐତିହ୍ୟ ଓ କୀର୍ତ୍ତିରାଜି ନେଇ ଏକ ଭିଡିଓ ଓ ସଙ୍ଗୀତ ଲୋକାର୍ପଣ କରାଯାଇଛି। ସ୍କୁଲ କଲେଜ ଓ ସରକାରୀ ଅଫିସ ର କାନ୍ଥରେ ରାଜ୍ୟର ବିଶିଷ୍ଟ ସାହିତିକ ଓ କବି ମାନଙ୍କର ଫଟୋ ଅଙ୍କନ କରି ସଚେତନତା ପଦକ୍ଷେପ ଗ୍ରହଣ କରାଯାଇଛି।
ଅଞ୍ଚଳର ବରିଷ୍ଠ ସାହିତ୍ୟିକ ଡଃ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଡଃ ଅରବିନ୍ଦ ପଣ୍ଡା, ନିତ୍ୟାନନ୍ଦ ସାହୁ, ଶିଶୁ ସାହିତ୍ୟିକ ପ୍ରମୋଦ ପଣ୍ଡିତ, ହରିହର ଚୌଧୁରୀ, ପ୍ରଶାନ୍ତ ପଟ୍ଟନାୟକ, ରୀତାଞ୍ଜଳି ମିଶ୍ର , ପାରଦ ପାଢି, ନୀଳମଣି ପଟ୍ଟନାୟକ, ରାଜେଶ ପାତ୍ର, ଚିନ୍ମୟ ପଲେଇ , ପପୁ ପରିଡ଼ା , ଆକାଶ ପଟ୍ଟନାୟକ, ରବୀନ୍ଦ୍ର ସାହୁ, ସଚ୍ଚିକାନ୍ତ ମିଶ୍ର ପ୍ରମୁଖ ସାହିତ୍ୟିକ ଓ କଳାକାରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ad-week
Leave A Reply

Your email address will not be published.