ଦେବଗଡ,୧୫ା୩:ଦେବଗଡ ଜିଲାକୁ ରେଳଲାଇନ ସଂଯୋଗ, ରିଆମାଳ କିମ୍ବା ବାରକୋଟ ବ୍ଲକକୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା, ଜଙ୍ଗଲ ସମ୍ପଦ ସୁରକ୍ଷା , ପ୍ରଧାନପାଟ ଓ କୁରଡକୋଟ ପର୍ଯ୍ୟଟନ ସ୍ଥଳୀର ବିକାଶ , କ୍ରୀଡାର ବିକାଶ ପାଇଁ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମର ଉନ୍ନତିକରଣ ଓ ହକୀ ଷ୍ଟାଡିୟମ ନିର୍ମାଣ ଓ ନେଟୱାର୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ଥାନରେ ଟାୱାର ନିର୍ମାଣ ସମେତ ୧୨ ଦଫା ଦାବୀରେ ଶୁକ୍ରବାର ଦେବଗଡ ପୌରାଂଚଳ ପଣ୍ଡାସାହିର ଯୁବ ସାମାଜିକ କର୍ମୀ ଅର୍ଣ୍ଣବ ପଣ୍ଡା ଭୁବନେଶ୍ୱର ସ୍ଥିତ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ଶ୍ରୀ ପଣ୍ଡା ଆଜି ଅଧିଷ୍ଟାତ୍ରୀ ଦେବୀ ମା’ ପ୍ରଧାନପାଟେଶ୍ୱରୀଙ୍କ ମନ୍ଦିରରୁ ଏହି ଯାତ୍ରା ଅ।।ରମ୍ଭ କରିଥିବା ଜଣାପଡିଛି । ଶ୍ରୀ ପଣ୍ଡା ପଦଯାତ୍ରାରେ ଯାଇ ଭୂବନେଶ୍ୱର ସ୍ଥିତ ନବୀନ ନିବାସରେ ପହଂଚିବା ପରେ ୧୨ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ମୂଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦେବଗଡ ଜିଲାର ବହୁ ନାଗରିକ ଏବଂ ସାମାଜିକ ଅନୁଷ୍ଠାନ ଶ୍ରୀ ପଣ୍ଡାଙ୍କର ଏହି ପଦଯାତ୍ରାକୁ ସ୍ୱାଗତ ଜଣାଇବାସହ ଏହାର ସଫଳତା କାମନା କରିଛନ୍ତି । ସୂଚନା ଯାଗ୍ୟ ଯେ, ଜିଲାରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥାର ସ୍ଥାୟୀ ସମାଧାନ, ଅବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର, ଗ୍ରାମଂଚଳରେ ଉନ୍ନତ ମାନର ରାସ୍ତା ନିର୍ମାଣ ସାଙ୍ଗକୁ ଗମନାଗମନ ସୁବିଧା,ବେକାରୀ ସମସ୍ୟା ଦୂରୀକରଣ ନିମନ୍ତେ ପ୍ରଦୂଷଣ ବିହୀନ ଶିଳ୍ପ ପ୍ରତିଷ୍ଠା, ପାନୀୟ ଜଳ ଯୋଗାଣ ସହ ଚାଷ ଜମିକୁ ଜଳ ସେଚନ ପାଇଁ କେନାଲ ନିର୍ମାଣ ଓ କର୍ମ ନିଯୁକ୍ତି ସୃଷ୍ଟି ଆଦି ଦାବୀ ମଧ୍ୟ ଉପରୋକ୍ତ ସ୍ମାରକ ପତ୍ରରେ ଉଲ୍କେଖ ରହିଛି ।
