ଯାତ୍ରୀବାହୀ ବସରୁ ଖସି ଛାତ୍ର ମୃତ : କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ

ଉତ୍ୟକ୍ତ ଲୋକେ ଦୂର୍ଘଟଣାଗ୍ରସ୍ତ ଗାଡିକୁ ଭାଙ୍ଗିଲେ
ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ୩୬ନଂ ରାଜ୍ୟ ରାଜପଥ ରାଳବ ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସରୁ ଖସିପଡି ଜୈନିକ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ପୁଟିଅପଦର ଗ୍ରାମର ରାହୁଲ ନାୟକ (୧୮) । କ୍ଷତିପୁରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ମୃତଦେହକୁ ରାସ୍ତାରେ ରଖିବା ସହ ଟାୟାର ଜାଳି ୩୬ନଂ ରାଜ୍ୟ ରାଜପଥ ହିଞ୍ଜିଳିକାଟୁ – ତରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପୁଲିସ ପ୍ରଶାସନ, ଜନ ପ୍ରତିନିଧି ପ୍ରମୁଖ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ୩ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ପରେ ରାସ୍ତାରୋକ ହଟିଥିଲା । ଏ ନେଇ ହିଞ୍ଜିଳି ଥାନାରେ ଏକ ମାଲା ରୁଜୁ କରି ପୁଲିସ ଦୂର୍ଘଟଣାଗ୍ରସ୍ତ ବସ ଓ ମୃତଦେହକୁ ଜବତ କରିଛି । ବ୍ୟବଛେଦ ସକାଶେ ମୃତଦେହକୁ ବ୍ରହ୍ମପୁର ଇଙ୍ଗ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ବସ ଚାଳକ ଓ କର୍ମଚାରୀ ମାନେ ଫେରାର ହୋଇ ଯାଇଛନ୍ତି ।
ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ରାହୁଲ ହିଞ୍ଜିଳିକାଟୁରୁ ଟିୟୁସନ ସାରି ହିଞ୍ଜିଳିକାଟୁ ଠାରୁ ତରାତାରିଣୀ ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ (ଓଡି୦୭କ୍ୟୁ ୬୧୭୭) ଯୋଗେ ପୁଟିଅପଦର ଗ୍ରାମକୁ ଯାଉଥିଲେ । ରାଳବ ଛକ ନିକଟରେ କୌଣସି କଥାକୁ କେନ୍ଦ୍ର କରି ବସ୍ କଣ୍ଡକ୍ଟର ସହ ଯୁକ୍ତିତର୍କ ହୋଇ ବସରୁ ତଳକୁ ଖସି ପଡିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ କେନ୍ଦ୍ର କରି ଉଭୟ ରାଳବ ଓ ପୁଟିଅପଦର ଗ୍ରାମର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ ରାସ୍ତା ଅବରୋଧ ହେବା ସହ ହିଞ୍ଜିଳିକାଟୁ- ତରାତାରିଣୀ ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ବହୁ ଯାନବାହନ ଅଟକି ରହିଥିଲା । ଉତ୍ୟକ୍ତ ଲୋକେ ଦୂର୍ଘଟରାଗ୍ରସ୍ତ ଯାତ୍ରୀବାହୀ ବସକୁ ପଥର ମାରି ଭଙ୍ଗାରୁଜା କରିଥିଲେ । ଖବର ପାଇ ହିଞ୍ଜିଳି ଓ ବେଲଗାଁ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଊତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଦୀର୍ଘ ୪ ଘଣ୍ଟା ଧରି ୩୬ ନଂ ରାଜ୍ୟ ରାଜପଥ ଅବରୋଧ ରହିଥିଲା । ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ରାଳବ, ପୁଟିଆପଦର, ନନ୍ଦିକ ଗ୍ରାମର ସରପଞ୍ଚ, ସମିତିସଭ୍ୟ ଓ ପୁଲିସ ପ୍ରଶାସନ ମିଳିତ ଭାବେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୁରଣ ବାଦରେ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବା ପରେ ରାସ୍ତାରୋକ ହଟିଥିଲା ।

nis-ad
Leave A Reply

Your email address will not be published.