ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ ସଚିନ ପାୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଗ ଶିବିରକୁ ଉଦ୍ଘାଟନ କରିଥିଲେ।ଏହି ଅବସରରେ ସେ କହିଥିଲେ ଯେ ଶରୀର ଏବଂ ମନର ଶାନ୍ତି ପାଇଁ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୋଗ କରିବା ଦ୍ଵାରା ଶରୀର ସୁସ୍ଥ ରହେ। ଦୈନିକ ଯୋଗ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ରୋଗ ଦୂରରେ ରହିଥାଏ। ବଢୁଥିବା ଚାପକୁ ହ୍ରାସ କରିବା ଏବଂ ଜୀବନଶୈଳୀରେ ଉପୁଜୁଥିବା ସମସ୍ୟାକୁ ଯୋଗ ସହିତ ଦୂର କରାଯାଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ, ବେଦବର ପ୍ରଧାନ, ଜିଲ୍ଲା ପରିଷଦ
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ, ପ୍ରତାପ କଟ୍ଟାପଲ୍ଲୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ ଓ ବିଏସଏଫ୍ ଡେପୁଟି କମାଣ୍ଡାଣ୍ଟ, ଶୁଭଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ। ଜିଲ୍ଳାସ୍ତରୀୟ ଯୋଗ ଦିବସରେ ୪୬୫ ଜଣ ପଞ୍ଜିକରଣ କରିଥିବା ବେଳେ ୩୩୭ ଜଣ ପୁରୁଷ ଓ ୧୨୮ ଜଣ ମହିଳା ଏବଂ ୧୮ ବର୍ଷରୁ କମ୍ ୬୦ ଜଣ ଏଥିରେ ଭାଗ ନେଇଥିଲେ। ସେହିପରି ୨୩ ଜଣ ବରିଷ୍ଠ ନାଗରିକ ମଧ୍ଯ ଏଥିରେ ଅଂଶ ଗ୍ରହଣ କରିଥିଲେ। ସଦର ମହକୁମାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଆଓମା ଗୁରୁକୁଳର ଅନ୍ତେବାସୀ ଓ ବିଏସଏଫ୍ ଯବାନ ଉପସ୍ଥିତ ରହି ଯୋଗ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ, ମାଧବ ପାଙ୍ଗିଙ୍କ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗର କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ ହୋଇପାରିଛି। କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଈ,
ଜିଲ୍ଲା ପରିଷଦ ଅର୍ଥ ପରିଚାଳକ, ମାନସ ମିଶ୍ର, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ମନସ୍ଵି ସେଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବିନାଶ ମିଶ୍ର ପରିଚାଳନା କରିଥିଲେ। ସୂଚନା ଥାଉ କି ମାନବ ଜୀବନରେ ଯୋଗର ମହତ୍ତ୍ୱ ଦେଖି ୨୦୧୫ ପରଠାରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ୍ ରେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି।୧୧ ଡିସେମ୍ବର ୨୦୧୪ ରେ, ମିଳିତ ଜାତିସଂଘର ସାଧାରଣ ସଭା ୨୧ ଜୁନ୍ କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରାଗଲା।
