ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଅନୁଷ୍ଠିତ ହୋଇଥିବା ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦାନ କରିଥିଲେ l ସେହିପରି ସମ୍ମାନିୟ ଅତିଥି ଭାବେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ,ତହସିଲଦାର ବଳଦେବ ବେହେରା, ବିଡ଼ିଓ ଲକ୍ଷ୍ମଣ ସୋରେନ , କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ପ୍ରମୁଖ ଯୋଗ ଦାନ କରିଥିଲେ l ଏହି ଶିବିରରେ ସମସ୍ତ କାଉନସିଲର ସହ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସୁଶ୍ରୀ ସାସ୍ବତୀ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।ମାନ୍ୟବର ବିଧାୟକ ଙ୍କୁ ଉପଢୌକନ ସହ ସ୍ୱାଗତ କରିବା ପରେ ପରେ ଆର୍ଯ୍ୟସମାଜର ଯୋଗ ଗୁରୁ ଅଜିତ ଭାଇଙ୍କ ଦ୍ୱାରା ଯୋଗାଭ୍ୟାସ ଓ ଯୋଗ ର ଉପକାରିତା କୁ ବିସଦ ବ୍ୟାଖ୍ୟା କରିବା ପରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବ୍ଲକରୁ ଆସିଥିବା ଶତାଧିକ ବ୍ୟକ୍ତି ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଯୋଗ ଏକ ସୁସ୍ଥ ଜୀବନ ଶୈଳୀର କାରଣ ଏହା ବ୍ୟକ୍ତିର ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା କରିବା ସହିତ ତାର ରୋଗ ପ୍ରତିରୋଧକ ଶକ୍ତି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।ତେଣୁ ନିଜ ପାଇଁ ଓ ସମାଜ ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି ବିଧାୟକ ଶ୍ରୀ ସାମନ୍ତରା କହିଥିଲେ। ଆର୍ଯ୍ୟସମାଜ ଯୋଗଗୁରୁ ଅଜିତ କୁମାର ପଣ୍ଡା ଉପସ୍ଥିତ ଶିବିରାର୍ଥୀ ଙ୍କୁ ଯୋଗ ଶିକ୍ଷା ଦେବା ସହ ନିୟମିତ ଯୋଗ କରିବାର ଉପାଦେୟତା ବିଷୟରେ କହିବା ସହ ସମସ୍ତଙ୍କୁ ନିୟମିତ ଯୋଗ କରିବା ପାଇଁ ଉପଦେଶ ଦେଇଥିଲେ। ଏହି ଶିବିରରେ ଚିକିଟୀ ଓ ଆଖପାଖ ଅଞ୍ଚଳର ବହୁ କର୍ମୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
