ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ଆଭାସୀ ବୈଠକ

youtube

ଛତ୍ରପୁର : ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଆଭାସୀ ମାଧ୍ୟମରେ ଶୁକ୍ରବାର ଦିନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଓସ୍ବାନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆଜି ଠାରୁ ଆସନ୍ତା 22 ତାରିଖ ପର୍ୟ୍ଯନ୍ତ ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିବ । ବିଶେଷ କରି ଆଜି ଓ ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଜନିତ କ୍ଷୟକ୍ଷତି ଯେପରି ହେବ ନାହିଁ ସେ ଦିଗରେ ତତ୍ପର ରହିବାକୁ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ ।
ବହୁମୁଖୀ ଆଶ୍ରୟ ସ୍ଥଳୀ, ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଆଜି ସଂଧ୍ଯା ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବନ୍ଯା ପରିସ୍ଥିତି ସୃଷ୍ଟି ହେଲେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନ ସାଧାରଣଙ୍କୁ ତୁରନ୍ତ ସେହି ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯିବ । ପାତ୍ରପୁର, ଦିଗପହଣ୍ଡି ବ୍ଲକ୍ ର ପାହାଡିଆ ଅଞ୍ଚଳର ଜନ ବସତି ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାର ନଦୀବନ୍ଧ, ଜଳ ଭଣ୍ଡାର ଗୁଡିକର ଦୁର୍ବଳ ସ୍ଥାନ ଗୁଡିକ ଚିହ୍ନଟ କରି ତୁରନ୍ତ ସେଗୁଡିକ ମରାମତି କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ଯଥା – ସମ୍ଭାବ୍ୟ ବନ୍ୟା, ବାତ୍ୟା ସକାଶେ ସମସ୍ତ ପ୍ରସ୍ତୁତି ଯୋରଦାର କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ବିଶେଷକରି ଡ୍ରେନ୍ ଗୁଡିକରେ ଯେପରି ବନ୍ୟା ଜଳ ଜମି ନରହେ ସେଥିପ୍ରତି ଧ୍ଯାନ ଦେବାକୁ କହିଥିଲେ । ସମ୍ଭାବ୍ଯ ବନ୍ୟାକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କ ଜୀବନ କିଭଳି ସୁରକ୍ଷିତ ରହିବ, ନଦୀ ଏବଂ କେନାଲ ଗୁଡିକର ମରାମତି, ଜଳ ନିଷ୍କାସନ ନିମନ୍ତେ ନାଳ ନର୍ଦ୍ଦମା ସଫେଇ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଶୁଖିଲା ଖାଦ୍ୟ, ତାରପୋଲିନ୍ ଆଦି ମହଜୁଦ୍ କରି ରଖିବା, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପଶୁ ସମ୍ପଦର ସୁରକ୍ଷା, ନିରାପଦ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଇତ୍ୟାଦି ସମସ୍ତ ବିଷୟ ନେଇ ଲାଇନ୍ ବିଭାଗୀୟ ଅଧିକାରୀଗଣ ନିଜ ନିଜ ସ୍ତରରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଜଣାଇଥିଲେ । ସମସ୍ତ ବ୍ଲକ୍ , ଉପଖଣ୍ଡ ସ୍ତରରେ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ବୈଠକରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଉପ ଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.