
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲଗାଣ ବର୍ଷା ପ୍ରଭାବିତ ଅଞ୍ଚଳବାସୀଙ୍କ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅସ୍ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାର ସାତଟି ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟଙ୍କ ସହ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ନେଇ ଜିଲ୍ଲାପାଳ, ସଚିନ ପାୱାର ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରାସ୍ତାଘାଟ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ଏବଂ ଯାତାୟାତ ଓ ଯୋଗାଯୋଗ ସ୍ଵାଭାବିକ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ବାସଗୃହ ପ୍ରଭାବିତ ହୋଇଥିବା ବ୍ୟକ୍ତି ଓ ଶସ୍ୟ ନଷ୍ଟ ହୋଇଥିବା ଚାଷୀମାନଙ୍କର ମିଳିତ ତଦନ୍ତ କରି କ୍ଷୟକ୍ଷତି ଭରଣା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଅଧିକ ବର୍ଷା ଜଳ ପ୍ଲାବିତ ଅଞ୍ଚଳରେ ଜଳ ଅପସାରଣ ପରେ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ସମସ୍ତ ଜନ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଆଶ୍ଵାସନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ରାସ୍ତା ଓ କୋଠାବାଡ଼ି, ଅଧିକ୍ଷଣ ଯନ୍ତ୍ରୀ, ନିହାର ରଞ୍ଜନ ବେହେରା, ରାସ୍ତା ଓ କୋଠାବାଡ଼ି-୨, ନିର୍ବାହୀ ଯନ୍ତ୍ରୀ, ଜୟ ନାରାୟଣ ଗୌଡ ଓ ଜିଲ୍ଲା ପରିଷଦ, ଅର୍ଥ ପରିଚାଳକ, ମାନସ ମିଶ୍ରଙ୍କ ସମେତ ସାତ ଗୋଟି ବ୍ଳକର ବିଡିଓ ଉପସ୍ଥିତ ଥିଲେ।