
ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
ଉମରକୋଟ /ଝରିଗାଁ : ମାନନୀୟ ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ଆଜି ଅଚାଣକ ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ଉନ୍ନୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଗୁଡିକ ଉପରେ ଶ୍ରୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସମସ୍ୟାର ସମାଧାନ ନେଇ ଶ୍ରୀ ବିଧାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ଝରିଗାଁ ବିଧାୟକ ହଠାତ ଆଜି ଦିନ ସାଢ଼େ ବାର ଘଣ୍ଟା ସମୟରେ ଧୋଡ୍ରା ସ୍ଥିତ ଉନ୍ନୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରି ସେଠାରେ କିଛି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶ୍ନ କରିବା ସହ ଲେଖିବା ପାଇଁ କହିଥିଲେ ତେବେ କିଛି ଛାତ୍ରଛାତ୍ରୀ ସଠିକ ପ୍ରଶ୍ନର ଉତ୍ତର ଦେବା ସହ ସଠିକ ଲେଖି ଥିବା ବେଳେ କିଛି ଛାତ୍ରଛାତ୍ରୀ ଭୁଲ କହିଥିଲେ।ଏହା ଦେଖିବା ପରେ ଶ୍ରୀ ବିଧାୟକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରି ଯେପରି ଛାତ୍ରଛାତ୍ରୀ ମାନେ ଭଲ ପାଠ ପଡ଼ି ପାରିବେ ସେ ଦିଗକୁ ଦୃଷ୍ଟି ଦେବା ପାଇଁ ବୁଝେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୀଳାବତୀ ମହାପାତ୍ର ଶ୍ରୀ ବିଧାୟକଙ୍କ ଦୃଷ୍ଟି ଆକର୍ଶନ କରି କହିଲେ, ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୩୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସାତଟି ଶ୍ରେଣୀ ଗୃହ ରହିଛି ତେବେ ସାତଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟି ଶ୍ରେଣୀ ଗୃହ ଛାତରୁ କିଛି ବର୍ଷ ହେବ ପାଣି ଗଲୁଥିବା ଯୋଗୁଁ ବର୍ଷା ଦିନ ମାନଙ୍କରେ ପିଲା ମାନଙ୍କ ପାଠ ପଢ଼ାରେ ସମସ୍ୟା ହେଉଥିବା ସହ ବିଦ୍ୟାଳୟର ଶ୍ରେଣୀ ଗୃହ ଛୋଟ ଛୋଟ ଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ବସି ପଢିବାରେ ସମସ୍ୟା ଉପୁଜୁଛି ଏବଂ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ପାଇଁ ମଧ୍ୟ ଦୃଷ୍ଟି ଆକର୍ଶନ କଲେ।ଦୁଇ ମାସ ତଳେ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନ ପକ୍ଷରୁ ଗୋଟିଏ ନୂତନ ନଳକୂପ ଖନନ କରାଯାଇଥିଲା କିନ୍ତୁ ସେହି ନୂତନ ନଳକୂପରୁ ଅପମିଶ୍ରିତ କାଦୁଅ ପାଣି ବାହାରୁ ଥିବା ଯୋଗୁଁ ପାଣି ବ୍ୟବହାର ହେଉ ନଥିବା କହିଥିଲେ।ବିଦ୍ୟାଳୟର ସବୁ ସମସ୍ୟା ସମ୍ପର୍କରେ ଶ୍ରୀ ବିଧାୟକ ଦୃଷ୍ଟି ଆକର୍ଷଣ ପରେ ପର୍ଯ୍ୟାୟ କ୍ରମେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଲୀଳାବତୀ ମହାପାତ୍ର ସୂଚନା ଦେଇଛନ୍ତି।