ଭାରତର ‘ମିଶନ ମୌସମ’: ଏଣିକି ପ୍ରଯୁକ୍ତି କରିବ ବର୍ଷା, ରୋକିବ ବଜ୍ରପାତ!

add-all

ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକାଯାଇ ପାରିବ କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି। ଏହି ଟେକ୍ନୋଲୋଜି ମାଧ୍ୟମରେ କେବଳ ବର୍ଷା ନୁହେଁ, ବରଂ କୁଆପଥର ଏବଂ ବଜ୍ରପାତକୁ ମଧ୍ୟ ରୋକାଯାଇ ପାରିବ।

ଏହି ପ୍ରୋଜେକ୍ଟର ନାମ ‘ମିଶନ ମୌସମ’ ରଖାଯାଇଛି, ଯାହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରବିଚନ୍ଦ୍ରନ କହିଛନ୍ତି। 

ସେ କହିଛନ୍ତି, “କୃତ୍ରିମ ବୃଷ୍ଟିପାତ ହ୍ରାସ ଏବଂ ବୃଦ୍ଧି ପାଇଁ ଆମେ ପ୍ରାରମ୍ଭିକ ପରୀକ୍ଷା କରିବାକୁ ଚାହୁଁଛୁ। ଲ୍ୟାବ୍ ସିମୁଲେସନ୍ (କ୍ଲାଉଡ୍ ଚାମ୍ବର) ଆସନ୍ତା ଦେଢ଼ ବର୍ଷ ମଧ୍ୟରେ କରାଯିବ, କିନ୍ତୁ କୃତ୍ରିମ ପାଣିପାଗ ପରିବର୍ତ୍ତନ ପାଇଁ ପାଞ୍ଚ ବର୍ଷ ସମୟ ଲାଗିବ। ‘ମିଶନ ମୌସମ’ ଅଧୀନରେ ବୈଜ୍ଞାନିକମାନେ ମଧ୍ୟ ଦେଶର ପାଣିପାଗ ପୂର୍ବାନୁମାନ ପ୍ରଣାଳୀରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବେ, ଯାହା ଦ୍ୱାରା ସ୍ୱଳ୍ପ ଏବଂ ମଧ୍ୟମ ବୃଷ୍ଟିପାତ ବାବଦରେ ପୂର୍ବାନୁମାନ ଆହୁରି ସଠିକ୍ ହୋଇପାରିବ।” 

ଏହା ବ୍ୟତୀତ ଭାରତର ପାଣିପାଗ ବିଭାଗ (IMD) ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ ବିଜ୍ଞାନ ସମ୍ବନ୍ଧୀୟ ଅନୁଷ୍ଠାନଗୁଡ଼ିକର ସହଯୋଗରେ ‘ମୌସମ ଜିପିଟି’ ଏକ chatGPT ପରି ଆପ୍ଲିକେସନ ମଧ୍ୟ ଲଞ୍ଚ୍ କରିବାକୁ ଯୋଜନା ରଖାଯାଇଛି। ଏହା ମାଧ୍ୟମରେ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ପାଣିପାଗ ସମ୍ବନ୍ଧରେ ସୂଚନା ଆହୁରି ସହଜରେ ମିଳିପାରିବ। ଏହି ସୂଚନା ଉଭୟ ଲିଖିତ ଏବଂ ଅଡିଓ ଫର୍ମାଟରେ ଉପଲବ୍ଧ ହେବ।  

ଏହି ମିଶନ ପାଇଁ ସରକାର ୨ ହଜାର କୋଟି ଟଙ୍କା ଅର୍ଥ ମଂଜୁର ହୋଇ ଥିବାବେଳେ ପରବର୍ତ୍ତୀ ସମୟରେ ଏଥିପାଇଁ ଅଧିକ ପାଣ୍ଠି ଦିଆଯିବ ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ କହିଛନ୍ତି।

ତେବେ ଏୟାରକ୍ରାଫ୍ଟ ବ୍ୟବହାର କରି କ୍ଲାଉଡ୍ ସିଡିଂ ମାଧ୍ୟମରେ ବୃଷ୍ଟିପାତକୁ ରୋକିବା ଏବଂ ବଢ଼ାଇବାର ଏହି ଟେକ୍ନୋଲୋଜି ଆମେରିକା, କାନାଡ଼ା, ଚୀନ୍, ରୁଷ ଏବଂ ଅଷ୍ଟ୍ରେଲିଆ ସମେତ ଅନ୍ୟ ଦେଶରେ ସୀମିତ ଉପାୟରେ ବ୍ୟବହୃତ ହେଉଛି। ଆମ ଦେଶରେ ଏହା ଆଗାମୀ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। 

ad-week
Leave A Reply

Your email address will not be published.