ନଦୀ ପାର ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ

add-all

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପୁରେଶ୍ୱର ମାଝି(୬୫)।
ମିଳିଥିବା ସୂଚନାନୁଯାୟୀ, କାଣ୍ଡାମ ଗ୍ରାମର ପୁରେଶ୍ୱର ଶନିବାର ସକାଳେ ଧୁଙ୍ଗିଆ ପଙ୍କାଳ ଗ୍ରାମରେ ହେଉଥିବା ସାପ୍ତାହିକ ହାଟକୁ ରାଉଳ ନଦୀ ପାର ହୋଇ ଆବଶ୍ୟକ ଜିନିଷପତ୍ର କିଣି ଅପରାହ୍ନରେ ଘରକୁ ଫେରୁଥିଲେ। ସେ ରାଉଳ ନଦୀର ଡଙ୍ଗା ଘାଟ ପାର୍‌ ହେଉଥିବା ସମୟରେ ହଠାତ୍‌ ବଢ଼ିପାଣିର ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଥିଲେ। ସେହି ସମୟରେ ଘାଟରେ ଉଦ୍ଧାର କରିବା ପାଇଁ କେହି ମଧ୍ୟ ଲୋକ ନ ଥିଲେ । ସନ୍ଧ୍ୟା ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ପାଇଲେ ନାହିଁ। ରବିବାର ସକାଳୁ ପୁଣି ଖୋଜାଖୋଜି କରିବା ପରେ ସେହି ଡଙ୍ଗାଘାଟର ପ୍ରାୟ ଅଧା କିମି ଦୂର ତଳର ବଡ଼ ପଥର ଓ ଗଛ ଥିବାଠାରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ତୁମୁଡିବନ୍ଧ ପୋଲିସ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦୁଇ ବିଭାଗ ପହଞ୍ଚି ଥିଲେ। ତୁମୁଡିବନ୍ଧ ଅଗ୍ନିଶମ ବିଭାଗ ଅଧିକାରୀ ସର୍ବେଶ୍ୱର ପାତ୍ର, ଡ୍ରାଇଭର ଅରବିନ୍ଦ ପାତ୍ର, ଆଗ୍ନିକ ଅମୀୟ ରଞ୍ଜନ ସୁନା ଓ ଶିଶିର ଜେନା ପ୍ରମୁଖ ନଦୀ ଭିତରକୁ ଯାଇ ମୃତଦେହ ଉଦ୍ଧାର କରି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ad-week
Leave A Reply

Your email address will not be published.