ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ତଥା ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମ ବୈଷ୍ଣବ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ବେଲଗାଁ ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମର ସିମାଞ୍ଚଳ ସାହୁ (୩୭) । ଏ ନେଇ ମୃତକଙ୍କ ସ୍ତ୍ରୀ ଗୀତା ସାହୁ ବେଲଗାଁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ବେଲଗାଁ ଥାନା କେସ ନ°- ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ଜବତ ପରେ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶନିବାର ସକାଳ ପ୍ରାୟ ସାଢେ ୧୧ ଘଣ୍ଟା ସମୟରେ ସିମାଞ୍ଚଳଙ୍କ ମୋବାଇଲ୍ ଫୋନକୁ ଏକ କଲ୍ ଆସିଥିଲା। ପରେ ସେ ଘରୁ ବାହାରକୁ ଯାଇ ଫେରି ନଥିଲେ। ଦୀର୍ଘ ସମୟଧରି ସିମାଞ୍ଚଳ ଘରକୁ ନଫେରି ବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ସନ୍ଧାନ ମିଳିନଥିଲା। ରବିବାର ସକାଳେ ପୋଖରୀ ହୁଡାରେ ମୃତ ଯୁବକଙ୍କ ପ୍ୟାଣ୍ଟ୍, ସାର୍ଟ ଓ ଗାମୁଛା ପଡିଥିବା ପରିବାର ଲୋକେ ଦେଖି ପୋଖରୀ ପାଣିରେ ବୁଡି ଯାଇଥିବା ସନ୍ଦେହ କରି କୁକୁଡାଖଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଖବର ପାଇ ବେଲଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ। ଅସାବଧାନତା ବଶତଃ ପୋଖରୀ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ କହିଛନ୍ତି।

ad-week
Leave A Reply

Your email address will not be published.