ମାଲକାନଗିରି : ମାଲକାନଗିରି ଅନେକ ଦିନର ଦାବି ପରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଛି ନେଟୱର୍କ ସେବା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ମୁଦୁଲିପଡ଼ା ପଞ୍ଚାୟତ ଗ୍ରାମାଞ୍ଚଳରେ ନେଟୱର୍କ ଆସିବା ପରେ ୩ ହଜାରରୁ ଉର୍ଦ୍ଧ୍ଵ ଲୋକେ ଉପକୃତ ହୋଇଛନ୍ତି । ଉକ୍ତ ଗ୍ରାମ ଅଞ୍ଚଳଗୁଡିକୁ ବଣ, ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ରହିଥିବାରୁ ଏହି ଅଞ୍ଚଳରେ ଆଖିଦୃଶିଆ ବିକାଶ ହୋଇପାରୁନାହିଁ । ବର୍ତ୍ତମାନ ଉକ୍ତ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ପହଞ୍ଚିବା ପରେ ଅଂଚଳରେ ଖୁସିର ଲହରି ଖେଳିଯାଇଛି । ପୂର୍ବରୁ ନେଟୱର୍କ ନ ଥିବା ସମୟରେ ବିଭିନ୍ନ ସୁବିଧା ପାଇବାରୁ ଲୋକେ ବଞ୍ଚିତ ହେଉଥିଲେ ।ରାତିଅଧିଆ କୌଣସି ରୋଗୀ ଅସୁବିଧା ହେଲେ ନେଟୱର୍କ ଖୋଜିବା ପାଇଁ କେତେବେଳେ ପର୍ବତ ଉପରେ ଚଢ଼ିବାକୁ ପଡୁଥିଲା ତ ‘ ଆଉ କେତେବେଳେ ମୁଖ୍ୟ ରାସ୍ତାର କୌଣସି ଗଛମୂଳେ ନେଟୱର୍କ ପାଇବା ପାଇଁ ଜଗି ରହୁଥିଲେ ଏହିସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ! ପୂର୍ବରୁ ଉକ୍ତ ଦୁର୍ଗମ ଅଞ୍ଚଳ ମାଓବାଦୀ ରୁପେ ପରିଚିତ ଥିଲା ବର୍ତ୍ତମାନ ସେହି ଅଂଚଳରେ ବିକାଶ ପାଦ ଥାପିବା ପରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାମ ସହ ନେଟୱର୍କ ସେବା ଧୀରେ ଧୀରେ ପହଞ୍ଚିବା ଆରମ୍ଭ କରିଛି ।ଏହି ବିକାଶ ମୁଖୀ କାର୍ଯ୍ୟ ପାଇଁ ମୁଦୁଲିପଡ଼ାର କିଛି ଆଗ ଧାଡ଼ିର ସ୍ୱେଚ୍ଛାସେବୀ ଙ୍କ ଅବଦାନ ରହିଥିବାରୁ ଅଞ୍ଚଳ ବାସୀ
ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
