ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର

add-all

ଭୁବନେଶ୍ବର : ଶେଷରେ ଅପେକ୍ଷାର ଘଟିଲା ଅନ୍ତ। ୪୮ ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଭୀମସାର ମେଡିକାଲ ପରିସରରୁ ଚୋରି ହୋଇଥିବା ଶିଶୁପୁତ୍ର। ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଅଧିକ ଚିକିତ୍ସା ପାଇଁ ତାକୁ ୭୨ ଘଣ୍ଟା ଅବଜରଭେସନରେ ରଖାଯିବ ବୋଲି ଡାକ୍ତର କହିଛନ୍ତି। ଏଥିପାଇଁ ତାକୁ ଭୀମସାରର SNCUରେ ଭର୍ତ୍ତି କରାଯାଇଛି। ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ ଅଟକ ରଖିଛି। ତେବେ କେଉଁ ଉଦ୍ଦେଶ୍ୟରେ ସେମାନେ ଶିଶୁପୁତ୍ରକୁ ଚୋରି କରିଥିଲେ, ତାହା ସ୍ପଷ୍ଟ ହୋଇ ନାହିଁ।
ଗତ ୨୬ ତାରିଖରେ ଶିଶୁର ସଂପର୍କୀୟାଙ୍କ ପାଖରୁ ଛୁଆଟିକୁ ଧରି ଛୁ’ ମାରିଥିଲେ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀ। ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାପରେ ନନଷ୍ଟପ୍ ଚେକିଂ-ବ୍ଲକିଂ, ଖୋଳତାଡ, ୩ଶହରୁ ଉର୍ଦ୍ଧ୍ୱ ସିସିଟିଭି ଯାଂଚ ପରେ ଶେଷରେ ଆଜି ରେଙ୍ଗାଲି ଗଣେଶ ନଗର ଅଂଚଳରୁ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୁଲିସର ଏକ ସ୍ପେଶାଲ ଟିମ୍। ମାଆ ପାଖକୁ ପୁଣି ଫେରିଛି ହଜିଲା ସନ୍ତାନ। ନିଜ ଏକୋଇରବଳା ବିଶିକେଶନକୁ ପାଖରେ ପାଇଲା ପରେ ମେଡିକାଲ ସଦସ୍ୟ ଓ ପୁଲିସ ଅଧିକାରୀମାନଙ୍କୁ ମିଠା ଖୁଆଇ ସେଲିବ୍ରେଟ୍ କରିଛନ୍ତି ଶିଶୁର ପରିବାର। ସେପଟେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଛି ବୋଲି ଡାକ୍ତର କହିଛନ୍ତି। ହେଲେ ନବଜାତ ହୋଇଥିବାରୁ ତାକୁ ୭୨ ଘଣ୍ଟା ନିରୀକ୍ଷଣ ପ୍ରକ୍ରିୟାରେ ରଖିବା ପରେ ଡିସଚାର୍ଜ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ଅନ୍ୟପଟ ପିଲା ଚୋରି ଘଟଣା ନେଇ ଶିଶୁର ମାଆ ଦେଇଛନ୍ତି ଚାଚଂଲ୍ୟକର ତଥ୍ୟ। କିଭଳି ଉକ୍ତ ମହିଳା ଜଣଙ୍କ ଡେଲିଭରି ପରେ ଆସି ସେମାନଙ୍କ ସହ ବନ୍ଧୁତା ଜମାଇଥିଲେ। ଖାଇବା ପିଇବା ଦେବାସହ ଶିଶୁର ମାଆଙ୍କ ଭଉଣୀ ସହ ଆତ୍ମୀୟତା ବଢାଇଥିଲେ। ଆଉ ତାପରେ ସୁଯୋଗ ଦେଖି ଛୁଆକୁ ଧରି ଛୁ’ ମାରିଥିଲେ। ଏହି ଘଟଣାରେ ଶିଶୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ହେଲେ ଚୋରିର ଉଦ୍ଦେଶ୍ୟ କଣ, ତାହା ଏବେ ପର୍ଯ୍ୟନ୍ତ ଜଣାପଡି ନାହିଁ। ଏନେଇ ଅଧିକ ତଦନ୍ତ ଜାରି ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.