
ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବିମ୍ବାଧରଙ୍କୁ ଗିରଫ କଲା ପୁଲିସ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ଚାଲିଥିବା ରାମାୟଣ ନାଟକରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ନାଟ ମଞ୍ଚରେ ଏକ ଜୀଅନ୍ତା ଘୁଷୁରିକୁ ଝୁଣି ଖାଇବା ପଡିଛି ମହଙ୍ଗା । ଘଟଣା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ହିଞ୍ଜିଳି ପୁଲିସ ନାଟକରେ ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବିମ୍ବାଧରଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ବଡଖରିଡା ଗ୍ରାମର ବିମ୍ବାଧର ଗୌଡ(୫୦) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୮୫/୨୪ରେ ଏକ ମାମଲା ରୁଜୁ କରି ସୋମବାର ବିମ୍ବାଧରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।

ପ୍ରକାଶ ଯେ, ନଭେମ୍ବର ୨୪ ତାରିଖରେ ହିଞ୍ଜିଳି ଥାନା ରାଳବ ଗ୍ରାମରେ କାଞ୍ଜିଅଁଳା ଯାତ୍ରା ଶୁଭାରମ୍ଭ ହୋଇଥିଲା । ଯାତ୍ରାତେସାବ ସକାଶେ ଗାଁ ଉତ୍ସବମୁଖର ହୋଇପଡିଥିଲା । ବିଭିନ୍ନ ସାହିବସ୍ତିରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପ୍ରକାରର ନାଟକ ପରିବେଷଣ କରାଯାଇଥିଲା । ଗ୍ରାମ ତଳସାହିରେ ଚିକିଲି ଦଳ ପକ୍ଷରୁ ରାମାୟଣ ନାଟକ ପରିବେଷଣ କରାଯାଇଥିଲା । ତେବେ ଯାତ୍ରା ଦଳ ମଧ୍ୟରେ ପ୍ରତିଯୋଗିତାରୁ ଦେଖିବାକୁ ମିଳିଥିଲା ବିଭତ୍ସ ଦୃଶ୍ୟ । ହଜାର ହଜାର ଦର୍ଶକଙ୍କ ଆଗରେ ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା କଳାକାର ଜଣଙ୍କ ସତେଯେମିତି ସତସତିକା ରାକ୍ଷାସ ପାଲଟି ଯାଇଥିଲେ । ନାଟ ମଞ୍ଚରେ ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଏକ ଜୀଅନ୍ତା ଘୁଷୁରିକୁ ବାନ୍ଧି ତାର ମାଂସକୁ ଝୁଣି ଝୁଣି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ଦର୍ଶକ ଏହାକୁ ମନଭରି ଉପଭୋଗ କରି ତାଳି ମାରି ଅଧିକ ଉତ୍ସାହିତ କରୁଥିବା ବେଳେ ଆଉ କିଛି ଦର୍ଶକଙ୍କ ମନରେ ଭୟ ସଞ୍ଚାର ହୋଇଥିଲା । ତଥାପି କେହି ଏହାର ବିରୋଧ କରିନଥିଲେ । ନା ଯାତ୍ରା କମିଟି, ନା ଗାଁ କମିଟି ନା ଦର୍ଶକ । ଅନୁରୂପ ଭାବେ ବାଳୀ ଓ ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା କଳାକାର ଦ୍ୱୟ ବିଷଧର ସାପକୁ ନାଟ ମଞ୍ଚରେ ଖେଳାଉଥିବା ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ବିଭତ୍ସ ଦୃଶ୍ୟ ପଦର୍ଶନ କରୁଥିବା କଳାକାର ଓ ଯାତ୍ରା କମିଟି ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ନାଟକ ପରିବେଷଣ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ହିଞ୍ଜିଳି ଥାନା ପକ୍ଷରୁ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା। ପୁଲିସ ବାହିନୀ ଉପସ୍ଥିତ ଥିବା ସତ୍ତ୍ୱେ ଏଭଳି ନୃଶଂସ ଘଟଣା ଘଟିଥିଲେ ମଧ୍ୟ ପୁଲିସ ପ୍ରଶାସନ ନିରବ ସାଜିଥିଲା। ଯଦି ଏଭଳି ନୃଶଂସ ଘଟଣା ଘଟିବା ସମୟରେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥାନ୍ତା ତା’ହେଲେ ଏଭଳି ବିଷମ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତେବେ ଗଣମାଧ୍ୟମରେ ଏଭଳି ରୋଚକ ପୂର୍ଣ୍ଣ ଖବର ପ୍ରକାଶ ପାଇବା ପରେ ଲୋକ ଦେଖାଣିଆ ଭାବେ ପୁଲିସ କେବଳ ଜଣେ ମାତ୍ର ରାକ୍ଷାସ ଅଭିନୟ କରୁଥିବା କଳାକାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ନିରବ ସାଜିଛି। ଅନ୍ୟପକ୍ଷରେ ନାଟ ମଞ୍ଚରେ ବିଷଧର ସାପକୁ ଧରି ବାଳି ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ବିରୋଧରେ କୈାଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି। ଘଟଣା ସମ୍ପର୍କରେ ହିଞ୍ଜିଳିକାଟୁ ବନପାଳ ଘରମଣୀ ପାଣିଗ୍ରାହୀ ଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ କଳାକାରଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଆଗାମୀ ଦିନରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।