
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ବେଧଡକ ଚାଲିଛି ବାଲ୍ୟ ବିବାହ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏକ ଏନଜିଓ ସଂସ୍ଥାକୁ ନାବାଳିକା ବିବାହ ରୋକିବା ପାଇଁ ଦାୟିତ୍ବ ଦେଇଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳିନାହିଁ।ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଜିଲ୍ଲା ର କୋଣ ଅନୁକୋଣ ରେ ଅନେକ ନାବାଳିକା ବିବାହ କରିବାର ଅଭିଯୋଗ ଆସୁଛି । ନାବାଳିକା ବିବାହ କ୍ଷେତ୍ରରେ ନୟାଗଡ଼ ଜିଲ୍ଲା ସାରା ଓଡ଼ିଶା ରେ ନବରଙ୍ଗପୁର ଜିଲ୍ଲା ତଳକୁ ଦ୍ଵିତୀୟ ସ୍ଥାନରେ ରହିଛି । ଜାତୀୟ ହାରରେ ନାବାଳିକା ବିବାହ ହାର ୨୧.୬ ପ୍ରତିଶତ ରହିଥିବା ବେଳେ ରାଜ୍ୟ ହାର ୨୬.୩ ପ୍ରତିଶତ ରହିଛି । ମାତ୍ର ନୟାଗଡ଼ ଜିଲ୍ଲାରେ ଏହି ହାର ୩୫.୭ ପ୍ରତିଶତ ରହିଥିବାର ସୂଚନା ମିଳିଛି। ଅନେକ ସ୍ବେଛାସେବୀ ସଂଗଠନ ଓ ଏନଜିଓ କୁ ଦାୟିତ୍ବ ଦେଇ ଅନେକ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ବାଲ୍ୟ ବିବାହ ରୋକିବାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବିଫଳ ହୋଇଛି । ପୁଅ ତୁଳନାରେ ଝିଅ ସଂଖ୍ୟା ଅପେକ୍ଷାକୃତ କମ ରହୁଥିବା ରୁ ଅନେକ ବୟସ୍କ ପୁଅଙ୍କ ସହ ନାବାଳିକା ବିବାହ କରାଯାଉଛି । ଅନେକ ସଚେତନତା କରାଯାଉଥିଲେ ମଧ୍ୟ ପ୍ରତିବର୍ଷ ଏହି ନାବାଳିକା ହାର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ,ଶିଶୁ ସୁରକ୍ଷା ବିଭାଗ ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ ୨୦୧୭-୧୮ମସିହାରେ ୧୭ଟି, ୨୦୧୮-୧୯ ମସିହାରେ ୩୯ ଟି, ୨୦୧୯-୨୦ ମସିହାରେ ୪୫ଟି ୨୦୨୦-୨୧ ମସିହାରେ ୫୮ ଟି, ୨୦୨୧-୨୨ ମସିହାରେ ୯୦ ଟି ନାବାଳିକା ବିବାହ ରୋକା ଯାଇଥିଲା । ୨୦୨୩ ଓ ୨୦୨୪ ମସିହାରେ ଏହା ୧୦୦ ଉପରେ ରହିଛି । ନାବାଳିକା ବିବାହ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ସହିତ ମାମଲା ରୁଜୁ କରାଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଦଣ୍ଡ ବିଧାନ ର ବ୍ୟବସ୍ଥା ନଥିବାରୁ ଏହା ନାବାଳିକା ବିବାହ ବେଧଡକ ଚାଲିଛି। କନ୍ୟା ଭ୍ରୁଣ ହତ୍ୟା ପାଇଁ ଅପବାଦ ମୁଣ୍ଡାଇଥିବା ନୟାଗଡ଼ ଜିଲ୍ଲା ବିବାହ ଯୋଗ୍ୟ ଝିଅଙ୍କ ଅଭାବ ଯୋଗୁଁ ୩୫ ବର୍ଷର ପୁଅଙ୍କ ସହ ୧୫ ବର୍ଷ ର ଝିଅଙ୍କ ବିବାହ କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଯେ ବାହାର ରାଜ୍ୟକୁ ମଧ୍ୟ ବିବାହ ପାଇଁ ନାବାଳିକା ଚାଲାଣ କରାଯାଉଛି । ନାବାଳିକା ବିବାହ ରୋକିବା ପାଇଁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହି ନାବାଳିକା ବିବାହ ପ୍ରଥା ବନ୍ଦ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ୨୦୧୧ ଜନଗଣନା ଅନୁଯାୟୀ ନୟାଗଡ଼ ଜିଲ୍ଲାରେ ୧୦୦୦ ପୁଅରେ ୮୫୫ ଝିଅ ଥିବା ବେଳେ ଏବେ ଏହା ୮୦୦ ରୁ କମ ଅଛି ବୋଲି ବିଶେଷ ସୂତ୍ର ରୁ ଜଣା ପଡ଼ିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ପୋଲିସ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।