ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

add-all

ଫୁଲବାଣୀ : ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ, ପୌରପରିଷଦ, ଫୁଲବାଣୀ ଠାରେ ମାନ୍ୟବର ଫୁଲବାଣୀ ବିଧାୟକ,ଶ୍ରୀ ଉମା ଚରଣ ମଲ୍ଲିକଙ୍କ କରକମଳରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମଲ୍ଲିକ କହିଲେ ଯେ କନ୍ଧମାଳ ଜିଲ୍ଲାରେ ଗୋଟିଏ ସମୟରେ ମ୍ୟାଲେରିଆ ଏକ ମାରାତ୍ମକ ରୋଗଥିଲା । ସରକାରଙ୍କର ସଫଳ ପ୍ରୟାସ ବଳରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଛି । ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଏହି ଦୀର୍ଘସ୍ଥାୟ କୀଟନାଶକ ଉପଚାରିତ ମଶାରୀର ସଦୁପଯୋଗ କରି ମ୍ୟାଲେରିଆ ଏବଂ ଭେକ୍ଟର ବାହିତ ରୋଗର ମୁକାବିଲାରେ ସରକାରଙ୍କୁ ସହଯୋଗ କରନ୍ତୁ ଏବଂ ନିଜକୁ ମଧ୍ୟ ରକ୍ଷା କରନ୍ତୁ । ଅନ୍ୟତମ ଅତିଥି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କନ୍ଧମାଳ, ଶ୍ରୀ ଶମ୍ଭୁନାଥ ନନ୍ଦୀ କହିଲେ ଯେ ମ୍ୟାଲେରିଆ ଏବଂ ଡେଙ୍ଗୁ ପରି ରୋଗରୁ ରକ୍ଷା ପାଇବାକୁ ହେଲେ ଏହି ମଶାରୀର ସଠିକ ବ୍ୟବହାର କରିବାକୁ ପଡିବ । ଗର୍ଭବତୀ ମା’ ଓ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ପାଇଁ ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ , ଏମାନଙ୍କୁ ମଶାରୀ ଦ୍ବାରା ସୁରକ୍ଷା ପ୍ରଦାନ କରିବା ଏକାନ୍ତ ଜରୁରୀ । ସରକାର ସବୁ ପରିବାରକୁ ମଶାରୀ ଯୋଗାଇ ଦେଉଛନ୍ତି I ଏହାର ଯେପରି ସଦୁପଯୋଗ ହେବ ସେଥିପ୍ରତି ସଚେତନ ହେବା ସହିତ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାକୁ ମ୍ୟାଲେରିଆ ଏବଂ ଡେଙ୍ଗୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ, କନ୍ଧମାଳ ଢା. ସନ୍ତୋଷ କୁମାର ପାଢୀ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ସମ୍ପର୍କରେ କହିଲେ ଯେ ଏହି ମଶାରୀରେ କୀଟନାଶକର ପ୍ରଭାବ ତିନି ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଗର୍ଭବତୀ ମା’ ଓ ଶିଶୁମାନଙ୍କ ପାଇଁ ଏହି ମଶାରୀ ନିରାପଦ ଅଟେ l ମଶାରୀ ବ୍ୟବହାର ଦ୍ବାରା ମଶା ତଥା ଅନ୍ୟାନ୍ୟ କୀଟପତଙ୍ଗ ମଶାରୀ ଭିତରେ ପ୍ରବେଶ କରିପାରନ୍ତି ନାହିଁ, ଫଳରେ ଜଣେ ଆରମରେ ଶୋଇ ପାରିବ । ଏହି ମଶାରୀକୁ ୨୦ ରୁ ୨୫ ଥର ପର୍ଯ୍ୟନ୍ତ ଧୂଆ ଯାଇପାରିବ । ପ୍ରତିଥର ହାଲୁକା ଭାବରେ ଧୋଇଲେ କୀଟନାଶକ ବିଶେଷ ନଷ୍ଟ ହୁଏ ନାହିଁ । ସାଦା ଥଣ୍ଡା ପାଣିରେ ଧୋଇଲେ ଭଲ । ସାବୁନ ବା ଡିଟରଜେଣ୍ଟ ପାଉଡ଼ର ବ୍ୟବ‌ହାର କରିବା ନିଷେଧ ଏବଂ ଧୋଇ ସାରିବା ପରେ ଛାଇରେ ଶୁଖାଇବା ଉଚିତ । ଆହୁରି ମଧ୍ୟ କହିଥିଲେ ଯେ ବହୁ ସମୟରେ ଏହାର ଦୁରୁପଯୋଗ ମଧ୍ଯ ନଜରକୁ ଆସିଥାଏ, ଏହି ମଶାରୀର ଦାମ୍ ଅଧିକ ଏହାକୁ ବଜାରରେ ପାଇ ପାରିବେ ନାହିଁ ତେଣୁ ଏହାର ସଦୁପଯୋଗ କରିବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, କନ୍ଧମାଳ ଧର୍ମେନ୍ଦ୍ର ତାଣ୍ଡି କହିଲେ ଯେ ୨୦୩୦ ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବାକୁ ଟାର୍ଗେଟ କରାଯାଇଛି । ମଶାରୀ ବଣ୍ଟନ ଏହାର ଏକ ଅଂଶ । ଏହାକୁ ହାସଲ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ ପଟ୍ଟନାୟକ ସରକାରଙ୍କର ଏହି ମଶାରୀ ବଣ୍ଟନ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହାର ସଦୁପଯୋଗ କରିବାକୁ ଅନୁରୋଧ କରିଥିଲେ । ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ କୁମୁଦ ଚନ୍ଦ୍ର ସାହୁ ମଞ୍ଚ ପରିଚାଚାଳନା କରିଥିବା ବେଳେ ଡି ପି.ଏମ. ଶ୍ରୀ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅଧ୍ଯକ୍ଷା, ପୌରପରିଷଦ, ଫୁଲବାଣୀ, ପାୟେଲ ବେହେରା, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ, କନ୍ଧମାଳ ଡା କଲ୍ୟାଣୀ ମିଶ୍ର, ଏ.ଡି.ପି.ଏଚ.ଓ. ଭି.ବି.ଡି. ଡା. ଅରବିନ୍ଦ ଦାସ, କନିଷ୍ଠ ଯନ୍ତ୍ରୀ, ପୌର ପରିଷଦ, ଫୁଲବାଣୀ ସସ୍ମିତା କୁମାରୀ ବେହେରା, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ, ଫୁଲବାଣୀ ନିବେଦିତା ମହାନ୍ତିଙ୍କ ସମେତ ଅଙ୍ଗନୱାଡି ଓ ଆଶା କର୍ମୀ, ହିତାଧିକାରୀ ଓ ଗଣମାଧ୍ଯମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.