
ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ଭାବେ ବାହାର ରାଜ୍ୟକୁ କିଛି ମାଫିଆଙ୍କ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ସେମାନଙ୍କ ନିକଟରୁ ୨୪କିଲୋ ଗଞ୍ଜେଇ ଓ ଗୋଟିଏ ବାଇକ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ତେବେ ପୋଲିସ ଦ୍ୱାରା ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ହରିୟାଣା ରାଜ୍ୟ ଛାପ୍ରା ବିବିପୁର ଅଞ୍ଚଳର ମନୋଜ ଏବଂ ଅନ୍ୟ ଜଣେ ଓର୍କେଲ ଥାନା ଅନ୍ତର୍ଗତ ଦାମଦରବେଡା ଗ୍ରାମର ପ୍ରେମ ମୁଦୁଲି ନାମକ ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଓର୍କେଲ ଥାନା ଅଧିକାରୀ ଧରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଏକ ଟିମ ନନ୍ଦିନୀଗୁଡା ଅଞ୍ଚଳରେ ଗତକାଲି ଅପରାହ୍ନ ସମୟରେ ପେଟ୍ରଲିଙ୍ଗ କରୁଥିବା ବେଳେ ବାୟାପଡା ଆଡୁ ଏକ ବାଇକରେ ବସ୍ତାରେ କିଛି ସାମଗ୍ରୀ ଧରି ନିନ୍ଦିନୀ ଗୁଡା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ପୋଲିସ ଉକ୍ତ ବାଇକଟିକୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ ବାଇକରେ ଥିବା ବ୍ୟଗରେ ୨୪ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରେ ପୋଲିସ ଗଞ୍ଜେଇ ସମେତ
ଉକ୍ତ ବାଇକ ନମ୍ବର-ଓଡି-୩୦ଇ -୯୯୨୨ ଟିକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତଙ୍କୁ ଗିରଫ କରି ଥାନାକୁ ଆଣି
ଘଟଣା ସମ୍ପର୍କରେ ସେମାନଙ୍କୁ ପଚରା ଉଚୁରା କରିଥିଲେ। ଉକ୍ତ ଗଞ୍ଜେଇକୁ ମୋଟର ସାଇକେଲ ଯୋଗେ ନେଇ କୋରାପୁଟରେ ଛାଡିବା ପରେ ଟ୍ରେନ ଯୋଗେ ହରିୟାଣା ରାଜ୍ୟକୁ ଯାଇଥାନ୍ତା ବୋଲି ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି। ତେବେ ପୋଲିସ ପକ୍ଷରୁ ଏନେଇ ଥାନାରେ ଏକ ମାମଲା କେସ ନମ୍ବର ୩୯/୨୫ ରେ ରୁଜୁକରିବା ସହ ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।