ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରଧା ପୁର ପଞ୍ଚୟତ ଚାରଖୋଲ ଗ୍ରାମ ଜାମୁକୋଣ ପାହାଡ ଉପରେ ମା ବୈଷ୍ଣୋଦେବୀ ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଫେବୃଆରୀ ୨ ତାରିଖରେ ମାଆଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଶକ୍ତିଯଜ୍ଞ ଅନୁଷ୍ଠିତ ହେବ । ଜମ୍ମୁ ର କତ୍ରା ଠାରେ ଥିବା ମା ବୈଷ୍ଣୋଦେବୀ ଙ୍କ ମନ୍ଦିର ନିର୍ମାଣ ଶୈଳୀରେ ପ୍ରସ୍ତୁତ ଏହି ମନ୍ଦିରର ଚତୁଃପାର୍ଶ୍ଵ ପର୍ବତମାଳା ର ସବୁଜ ବଳୟ ମଧ୍ୟରେ ଏହି ମନ୍ଦିର ଶୋଭା ପାଉଛି । ପହଡ଼ ମଧ୍ୟରେ ୧୮୦ ଫୁଟ ସୁଡ଼ଙ୍ଗ ମଧ୍ୟ ଭାଗରେ ମା ବୈଷ୍ଣୋଦେବୀ ଙ୍କ ଆସ୍ଥାନ ରହିଥିବା ବେଳେ ୪ ରୁ ୫ ଫୁଟ ମଧ୍ୟରେ ଦେବୀଙ୍କର ମାର୍ବଲ ମୂର୍ତ୍ତି ସ୍ଥାପିତ ହେବ । ମନ୍ଦିର ସାମ୍ନାରେ ଥିବା ଆରତୀ ମଣ୍ଡପରେ ଏକାବେଳେ ୪୦୦ ରୁ ଉର୍ଦ୍ଧ୍ବ ଲୋକ ମା ବୈଷ୍ଣୋଦେବୀ ଙ୍କ ଆଳତୀ ଦର୍ଶନ କରିପାରିବେ ।ମନ୍ଦିରର ଗୋଟିଏ ପାର୍ଶ୍ଵରେ ଶ୍ରୀ ଗଣେଶ ଏବଂ ଅନ୍ୟ ପାର୍ଶ୍ବରେ ୧୮ କୁଇଣ୍ଟାଲ ପିତଳ ରେ ନିର୍ମିତ ମା ଦୁର୍ଗାଙ୍କର ଅଷ୍ଟଭୁଜା ମୂର୍ତ୍ତି ରହିଛି । ଏହା ଠାରୁ ଦକ୍ଷିଣ ପାର୍ଶ୍ଵରେ ୫୫ ପାହାଚ ଅତିକ୍ରମ କରିବା ପରେ ସୁଡ଼ଙ୍ଗ ପଡ଼ିବ । ଏହି ସୁଡ଼ଙ୍ଗ ମଧ୍ୟ ଦେଇ ଭକ୍ତ ମାନେ ମା ବୈଷ୍ଣୋଦେବୀ ଙ୍କ ଦର୍ଶନ କରିପାରିବେ ଏବଂ ଉତ୍ତର ଦ୍ଵାର ଦେଇ ୪୨ ପାହାଚ ଅତିକ୍ରମ କରି ପୁନର୍ବାର ଅଷ୍ଟଭୁଜା ଦୁର୍ଗାଙ୍କ ନିକଟରେ ପହଞ୍ଚିବେ ।ମା’ ଙ୍କ ନିକଟରେ ହେଉଥିବା ଭୋଗ ଏକ କ୍ଷୁଦ୍ର ସୁଡ଼ଙ୍ଗ ଦେଇ ପାହାଡ଼ ତଳକୁ ଆସିବ ଏବଂ ସେଠାରୁ ଭକ୍ତ ମନେ ନିଜ ନିଜର ଭୋଗ ପାଇପାରିବେ ।ଏହି ମନ୍ଦିରର ଶ୍ରଦ୍ଧାଳୁ ମାନଙ୍କର ସୁବିଧା ରହିଛି ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ପାହାଡ଼ ତଳକୁ ପ୍ରଶସ୍ତ ଅଞ୍ଚଳ ଯାନବାହାନ (ପାର୍କିଂ) ର ବ୍ୟବସ୍ଥା ରହିଛି। ପାହାଡ଼ର ଅନ୍ୟ ପାର୍ଶ୍ଵରେ ଭୈରାନଥ ଅସୁରଙ୍କ ଆସ୍ଥାନ ନିର୍ମାଣ ହୋଇଛି । ଏହା ନୟାଗଡ଼ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ ସ୍ଥଳ ରୂପେ ସ୍ଥାନ ପାଇବାକୁ ଯାଉଛି ।
