
ମାଲକାନଗିରି, ୧୬।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦାନ୍ତେୱାଡା ଜିଲ୍ଲା ଅରନପୁର ଥାନା ଅନ୍ତର୍ଗତ ଅରନପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ୭ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ରାତି ଅଧରେ ଘରେ ପଶି ନକ୍ସଲ ମାନେ ପ୍ରଥମେ ଯୁବକଙ୍କୁ ଘରୁ ଟାଣି ଆଣି ଏକ ଧାରୁଆ ଅସ୍ତ୍ରରେ ତାଙ୍କ କାଟି କାଟି ହତ୍ୟା କରିଥିଲେ। ଘଟଣାର ୧୧ ଦିନ ପରେ, ପୁଲିସ ୭ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ୧. ନନ୍ଦ ସୋଡି, ମିଲିସିଆ ସଦସ୍ୟ, ୨. ଜୋଗା ମାଡ଼କାମ, ମିଲିସିଆ ସଦସ୍ୟ, ୩. ହାଣ୍ଡା ମାର୍କମ, ୪. ନନ୍ଦ ସୋରି, ମିଲିସିଆ ସଦସ୍ୟ, ୫. ନନ୍ଦ ମାର୍କମ, ମିଲିସିଆ ସଦସ୍ୟ, ୬. ନନ୍ଦା ସୋରି, ମିଲିସିଆ ସଦସ୍ୟ, ୭. ସୁଲା ହେମଲା, ମିଲିସିଆ ସଦସ୍ୟ। ପ୍ରାପ୍ତ ସୂଚନା ଅନୁଯାୟୀ, ମାଲାଙ୍ଗେର ଏରିଆ କମିଟିର ନକ୍ସଲମାନେ ଫେବୃଆରୀ ୪ ତାରିଖ ବିଳମ୍ବିତ ରାତିରେ କାକାଡି ବାସିନ୍ଦା ହଡମା ହେମଲାଙ୍କ ଘରେ ପହଞ୍ଚି ପ୍ରଥମେ ହଡମାଙ୍କୁ ଘରୁ ଟାଣି ଆଣି ପୁଲିସ ସୂଚନାଦାତା ଅଭିଯୋଗ ଲଗାଇବା ସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କର ଗଳାକାଟି ହତ୍ୟା କରିଥିଲେ। ହତ୍ୟା ଘଟଣା ପରେ, ନକ୍ସଲମାନେ ହଡମାଙ୍କ ମୃତଦେହକୁ ଘର ବାହାରେ ଫୋପାଡ଼ି ଦେଇଥିଲେ। ଯାହା ପରେ ଗାଁ ଲୋକେ ଏ ବିଷୟରେ ପୁଲିସକୁ ଜଣାଇଥିଲେ। ପୁଲିସ ତଦନ୍ତରେ ମଲାଙ୍ଗେର ଏରିଆ କମିଟିର ନକ୍ସଲଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ, ସୁରକ୍ଷାବାହିନୀର ଯବାନ ମାନେ ଉକ୍ତ ଅଞ୍ଚଳରେ ନିରନ୍ତର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଯାହା ପରେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ କିଛି ଲୋକଙ୍କୁ ସେହି ଗାଁର ଭିନ୍ନ ଭିନ୍ନ ସ୍ଥାନରୁ ପୁଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ମାନେ ନକ୍ସଲ ସଂଗଠନର ସକ୍ରୀୟ ସଦସ୍ୟ ଭାବରେ ଚିହ୍ନଟ ହୋଇଛନ୍ତି। ପଚରାଉଚରା ଏବଂ ତଦନ୍ତ ସମୟରେ ଜଣାପଡିଥିଲା ଯେ ଗ୍ରାମବାସୀଙ୍କ ହତ୍ୟାରେ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ। ଏଏସପି ଆର କେ ବର୍ମନ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ପରେ ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି।