ବ୍ରହ୍ମପୁର, ତା ୧୯/୨-ବ୍ରହ୍ମପୁର ପୌର ପରିଷଦ ରୁ ମହାନଗର ନିଗମ କୁ ଉନ୍ନୀତ ହୋଇଥିଲେ ମଧ୍ୟ ସହରର ଅଧିବାସୀ ମାନେ ପୌର ପରିଷଦ ଅଧିନରେ ମିଳୁଥିବା ସୁବିଧା ସୁଯୋଗ ଆଜିଯାଏଁ ପାଇବାରୁ ବଂଚିତ ରହିଛନ୍ତି । ଫଳରେ ୧୫୦ ବର୍ଷ ପୁରାତନ ଏହି ସହରର ରାସ୍ତା ଘାଟ, ନାଳ ନର୍ଦ୍ଦମା, ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ନିୟମିତ ମଶାମରା ତେଲ ଓ ଧୂଆଁ ପକାଇ ମଶା ଙ୍କ ପାଦୁଃର୍ଭାବରୁ ସହରବାସୀଙ୍କୁ ରକ୍ଷା କରିବା, ନାଳ ନର୍ଦ୍ଦମା ସଫା କରିବା, ସମସ୍ତ ବୃଦ୍ଧ, ବିକଳାଙ୍ଗ,ବିଧବାଙ୍କୁ ମାସିକ ଭତ୍ତା ୩୫୦୦ ଟଙ୍କା ପ୍ରଦାନ କରିବା, ସମସ୍ତ ପୌରାଞ୍ଚଳ ଅଧିବାସୀ ଙ୍କୁ ରାସନ କାର୍ଡ଼ ମିଳିବା, ବର୍ଦ୍ଧିତ ହୋଲଡିଂ ଟିକସ ପ୍ରତ୍ୟାହାର କରିବା, ମହାନଗର ନିଗମ ଭବିଷ୍ୟନିଧି ଅନ୍ତର୍ଭୁକ୍ତ ସମସ୍ତ

କର୍ମଚାରୀ ଙ୍କୁ ଇଏସ୍ ଆଇ କାର୍ଡ଼ ପ୍ରଦାନ କରାଯିବା, ପ୍ରତି ଓ୍ବାର୍ଡରେ ପାଠାଗାର ଓ ଇ-ଲାଇବ୍ରେରୀ ପ୍ରତିଷ୍ଠା କରିବା ପ୍ରଭୃତି ୧୧ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ବିକ୍ଷୋଭ ଅନୁଷ୍ଠିତ ହୋଇ ବ୍ରହ୍ମପୁର ଆଞ୍ଚଳିକ ସଂପାଦକ କାମଦେବ ନାହାକଙ୍କ ନେତୃତ୍ଵରେ ମହାନଗର କମିଶନର ଓ ମେୟରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ବରିଷ୍ଠ ସିପିଆଇ ନେତା ରମେଶ ଚନ୍ଦ୍ର ପାଢୀ,ଜିଲ୍ଲା ସହ ସଂପାଦକ ନୀଳକଂଠ ଦାଶ, ଯୁବ ସଂଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ, ନଗର ସଂପାଦକ ପ୍ରଫୁଲ୍ଲ ଜେନା, ମହମ୍ମଦ ଉସମାନ, ରୋହିତ ବିଷୋୟୀ, ଶ୍ରମିକ ନେତା ପ୍ରବୀଣ ଦାଶ, ଆଇନଜୀବୀ ଟିଟୁ , ଗୋପାଳ ବିଷୋୟୀ ପ୍ରମୁଖ ନେତୃତ୍ୱ ନେଇଥିଲେ। ପାର୍କସାହିଠାରୁ ଏକ ପଟୁଆରରେ ଶତାଧିକ ମହିଳା ପୁରୁଷ ପୁରୁଣା ବସ୍ ଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିବା ସହିତ ଗାନ୍ଧିନଗରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଫୁଲମାଳ ପ୍ରଦାନକରି ମହାନଗର ନିଗମ କାର୍ଯ୍ୟାଳୟ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
